ବାଲେଶ୍ବର, (ସତ୍ୟପାଠ ବ୍ୟୁରୋ) : ରାସ୍ତାରେ ଖରାପ ହୋଇଗଲା ୧୦୮ ଆମ୍ବୁଲାନ୍ସ । ଦୀର୍ଘ ସମୟ ଧରି ଗାଡ଼ି ଠିକ୍ ନହେବାରୁ ଗୁରୁତର ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ରୋଗୀଙ୍କ ସମ୍ପର୍କୀୟମାନେ ଆମ୍ବୁଲାନ୍ସକୁ ଅଟକ ରଖିଥିବା ଜଣାପଡ଼ିଛି । ବାଲେଶ୍ୱର ଜିଲ୍ଲା ଖଇରା ଅଞ୍ଚଳରୁ ଆସିଛି ଏଭଳି ଅଭାବନୀୟ ଅଭିଯୋଗ ।
ସୂଚନା ଅନୁସାରେ, ଖଇରା ବ୍ଲକ୍ ତୋରାଣିପଦା ଗ୍ରାମର ଭାଗବତ ସାହୁ ଆଜି ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ ଖଇରା ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମେଡିକାଲକୁ ନିଆଯାଉଥିଲା। କିନ୍ତୁ ଭଦ୍ରକ ଯିବା ରାସ୍ତାରେ ଜଲଙ୍ଗ ଛକ ନିକଟରେ ହଠାତ୍ ଆମ୍ବୁଲାନ୍ସଟି ଖରାପ ହୋଇଯାଇଥିଲା। ଦୀର୍ଘ ସମୟ ଧରି ଆମ୍ବୁଲାନ୍ସ ଠିକ୍ ହୋଇନପାରିବାରୁ ପରେ ଅନ୍ୟ ଏକ ଆମ୍ବୁଲାନ୍ସ ଯୋଗେ ଭାଗବତଙ୍କୁ ସିମୁଳିଆ ମେଡିକାଲ ନିଆଯାଇଥିଲା । ତେବେ ହସ୍ପିଟାଲରେ ପହଞ୍ଚିବାରେ ବିଳମ୍ବ ହେବାରୁ ଭାଗବତ ସାହୁଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।
