ରାୟଗଡ଼ା: ରାୟଗଡ଼ା ଥାନା ଅନ୍ତର୍ଗତ ତଳଗୁମ୍ମା ନିକଟରେ ଜଣେ ଫେରିବାଲାଠାରୁ ଲୁଟ୍ କରି ଚମ୍ପଟବେଳେ ଏକ କାର ଓଲଟି ପଡ଼ିଥିଲା। କାରଟି ଚମ୍ପଟବେଳେ ଏକ ନାବାଳକଙ୍କୁ ଧକ୍କା ଦେବାରୁ ସେ ଗୁରୁତର ଆହତ ହୋଇଛନ୍ତି। ପୋଲିସ ଗାଡ଼ି ଚାଳକଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ ଯେ, ଜଣେ ଫେରିବାଲାକୁ କିଛି ବ୍ୟକ୍ତି ଆକ୍ରମଣ କରି ଟଙ୍କା ଓ ମୋବାଇଲ ଫୋନ ଲୁଟି ନେଇଥିଲେ। ଏହାପରେ ଦୁର୍ବୃତ୍ତମାନେ ଏକ କାରରେ ଘଟଣାସ୍ଥଳରୁ ଦ୍ରୁତ ଗତିରେ ଚମ୍ପଟ ମାରିବାବେଳେ ଗୋଟିଏ ଛୋଟ ପିଲାର ଦୁଇ ଗୋଡ଼ ଉପରେ ଚଢ଼ିଯାଇଥିଲା। ଫଳରେ ଗାଡ଼ି ଚାଳକ ନିୟନ୍ତ୍ରଣ ହରାଇବାରୁ କାରଟି ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଏହାପରେ କାରରେ ଥିବା କିଛି ବ୍ୟକ୍ତି ପାହାଡ଼ ଚଢ଼ି ଫେରାର ହୋଇଯାଇଥିବା ବେଳେ ଜଣେ ବ୍ୟକ୍ତିକୁ ସ୍ଥାନୀୟ ଲୋକେ କାବୁ କରି ପୋଲିସରେ ଜିମା ଦେଇଛନ୍ତି। ଆହତ ପିଲାକୁ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। କୁମ୍ବିକୋଟା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଲୁଟ୍ ର ଶିକାର ହୋଇଥିବା ଫେରିବାଲା ରାୟଗଡ଼ା ଥାନାରେ ପହଞ୍ଚି ଏ ନେଇ ଅଭିଯୋଗ କରିଥିବା ଜଣାପଡ଼ିଛି।
