ଅମୃତସର, ୨୫|୬(ସପ୍ର): ଅମୃତସର ବିମାନବନ୍ଦରରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏୟାର ଇଣ୍ଡିଆର ଏକ ବିମାନ ପାକିସ୍ତାନର ଲାହୋର ବାୟୁସୀମାରେ କିଛି ସମୟ ପାଇଁ ପ୍ରବେଶ କରିବା ଘଟଣାକୁ ଗମ୍ଭୀରତାର ସହିତ ଗ୍ରହଣ କରିଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)। ଡିଜିସିଏ ବୁଧବାର କହିଛି ଯେ, ଅମୃତସରର ଏୟାର ଟ୍ରାଫିକ୍ କଣ୍ଟ୍ରୋଲର୍ (ଏଟିସି) ଓ ଏୟାରଲାଇନ୍ସର ଅପରେଟିଂ କ୍ରୁଙ୍କ ବିରୋଧରେ ଘଟଣାର ରିପୋର୍ଟ ନକରିବା ପାଇଁ ମଧ୍ୟବର୍ତ୍ତୀକାଳୀନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତ ସୋମବାର ଏୟାର ଇଣ୍ଡିଆର ଏୟାରବସ୍‌ ଏ୩୨୧ (ଭିଟି-ପିପିଭି) ଦ୍ୱାରା ପରିଚାଳିତ ବିମାନ ଏଆଇ୪୭୯ ଦିଲ୍ଲୀରୁ ଅମୃତସର ଯାଉଥିବା ବେଳେ ଏହି ଘଟଣା ଘଟିଥିଲା। ଡିଜିସିଏ ତଥ୍ୟ ଅନୁଯାୟୀ, ଅମୃତସର୍‌ ବିମାନବନ୍ଦରରେ ଅନ୍ୟ ଏକ ବିମାନ ଅବତରଣ ସମୟରେ ପକ୍ଷୀ ସହିତ ଧକ୍କା ଖାଇବା ଘଟଣାକୁ ନେଇ ରନୱେରେ ଯାଞ୍ଚ ଚାଲିଥିବାବେଳେ ଦିଲ୍ଲୀରୁ ଅମୃତସର୍‌ ଆସୁଥିବା ଏୟାର ଇଣ୍ଡିଆ ବିମାନକୁ କିଛି ସମୟ ଅପେକ୍ଷା କରିବାକୁ କୁହାଯାଇଥିଲା । ଡିଜିସିଏ କହିଛି ଯେ, ରାଡାର ଭେକ୍ଟରିଂ ସମୟରେ ବିମାନଟି ଅବତରଣ ପ୍ରୟାସ ଆରମ୍ଭ କରିବା ପରେ ଏହା କିଛି ସମୟ ପାଇଁ ପାକିସ୍ତାନୀ ବାୟୁସୀମାରେ ପ୍ରବେଶ କରିଥିଲା । ପାକିସ୍ତାନ ଏଟିସି କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରଖି ଘଟଣାର ସମାଧାନ କରାଯାଇଥିଲା। ଶେଷରେ ବିମାନଟି ଦିଲ୍ଲୀ ଆଡକୁ ଗତି କଲା ଓ ନିରାପଦରେ ଦିଲ୍ଲୀରେ ଅବତରଣ କରିଥିଲା ବୋଲି ଡିଜିସିଏ ଏକ ବିବୃତିରେ କହିଛି । ଏହି ଘଟଣା ସୋମବାର ରାତି ୮ଟା ପରେ ଘଟିଥିଲା। ଡିଜିସିଏ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର୍ ଓ ପରିଚାଳନା କ୍ରୁଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ କୌଣସି ସୂଚନା ପ୍ରଦାନ କରିନାହିଁ। ସୂତ୍ର ଅନୁଯାୟୀ ବିମାନ ଦିଲ୍ଲୀ ଫେରିଆସିଥିଲା ଓ ଏହାର ଘଣ୍ଟାଏ ପରେ ପୁଣି ଅମୃତସର୍‌ ଅଭିମୁଖେ ଯାତ୍ରା କରିଥିଲା। ରାତି ୧୦ଟା ପରେ ବିମାନ ଅମୃତସର୍‌ ବିମାନବନ୍ଦରରେ ଅବତରଣ କରିଥିଲା। ତେବେ ବିମାନରେ କେତେ ଯାତ୍ରୀ ଥିଲେ ତାହା ଜଣାପଡ଼ିନାହିଁ।