ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସ୍ଥଳଭାଗ ଅତିକ୍ରମ କଲା ଅତିଭୀଷଣ ବାତ୍ୟା ଅର୍ଣ୍ଣବ। ଆନ୍ଧ୍ରପ୍ରଦେଶର ୟାନାମ ଉପକୂଳରେ ସ୍ଥଳ ଭାଗ ଛୁଇଁଲା ବାତ୍ୟା ଅର୍ଣ୍ଣବ। ଦୀର୍ଘ ୬ ଘଣ୍ଟା ୩୦ ମିନିଟର ସଂଘର୍ଷ ପରେ ସ୍ଥଳଭାଗ ଅତିକ୍ରମ। ରାତି ୨ରୁ ସକାଳ ସାଢ଼େ ୮ଟା ଯାଏଁ ସଂଘର୍ଷ ପରେ ସ୍ଥଳଭାଗ ଅତିକ୍ରମ ପରେ ଦୁର୍ବଳ ହୋଇ ଏକ ଭୀଷଣ ବାତ୍ୟାରେ ପରିଣତ ହେଲା। ଲ୍ୟାଣ୍ଡଫଲ ବେଳେ ପବନର ବେଗ 110 ରୁ 120 କିଲୋମିଟର ପ୍ରତି ଘଣ୍ଟା । ଝଟକା ପବନର ବେଗ 135 କିଲୋମିଟର ପ୍ରତି ଘଣ୍ଟା।

ବଙ୍ଗୋପସାଗରରେ ସୃଷ୍ଟ ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ବଢ଼ିଲା ଚିନ୍ତା। ଆଜି ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିଛି ବାତ୍ୟା। ଘଣ୍ଟାପ୍ରତି 110 ରୁ 120 କିଲୋମିଟର ବେଗରେ ପବନ ବହିବା ସହ ଲଗାଣ ବର୍ଷା ଯୋଗୁଁ ଉପକୂଳ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ଏପଟେ ଓଡ଼ିଶାରେ ମଧ୍ୟ ବାତ୍ୟାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି।

ଆନ୍ଧ୍ରପ୍ରଦେଶର ୟାନାମ ଉପକୂଳରେ ମାଡ଼ ହୋଇଛି ବାତ୍ୟା ‘ଅର୍ଣ୍ଣବ’। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି 110 ରୁ 120 କିଲୋମିଟର ରହିଥିବା ବେଳେ ଝଟକା ପବନର ବେଗ 135 କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିଥିଲା।

ବାତ୍ୟା ପ୍ରଭାବରେ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା, ଜୋର୍‌ରେ ପବନ ଏବଂ ସମୁଦ୍ରରେ ଉଚ୍ଚ ଜୁଆର ଦେଖିବାକୁ ମିଳିଛି। ତଳିଆ ଅଞ୍ଚଳରେ ଜଳବନ୍ଦୀ ଓ ଆକସ୍ମିକ ବନ୍ୟା ଆଶଙ୍କା ମଧ୍ୟ ରହିଛି। ବାତ୍ୟା ପୂର୍ବରୁ ଆନ୍ଧ୍ରପ୍ରଦେଶରେ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ଅନ୍ୟପଟେ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ମଧ୍ୟ ପଡ଼ିଛି। ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା କରାଯାଇଛି। ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ଉଦ୍ଧାରକାରୀ ଦଳ ମୁତୟନ କରିବା ସହ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ନେବା ପାଇଁ ପଦକ୍ଷେପ ନେଇଛନ୍ତି। ବାତ୍ୟା ଅର୍ଣ୍ଣବ ସ୍ଥଳଭାଗ ଅତିକ୍ରମ କରିଥିଲେ ମଧ୍ୟ ବିପଦ ଟଳିନାହିଁ। ବାତ୍ୟା ଧୀରେ ଧୀରେ ଦୁର୍ବଳ ହେବା ସହ ଆଗାମୀ କିଛି ଘଣ୍ଟା ଧରି ପ୍ରବଳ ବର୍ଷା ଓ ପବନ ଜାରି ରହିବା ଆଶଙ୍କା ରହିଛି। ତେଣୁ ଜନସାଧାରଣଙ୍କୁ ପାଣିପାଗ ବିଭାଗର ସତର୍କ ସୂଚନା ମାନିବା ସହ ଅଯଥାରେ ଘରୁ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଛି।ଓଡିଶାରେ ପ୍ରବଳ ବର୍ଷା ପାଇଁ ଫ୍ଲାସ ଫ୍ଲଡ ସ୍ଥିତି ଉପୁଜିପାରେ, ଏଥିପାଇଁ ପାଣିପାଗ ବିଭାଗ ସତର୍କ କରାଇଛି |