ଶୂନ୍ୟରେ ଆଉଟ୍ ହୋଇ ନିଜ ନାମରେ ଅଲୋଡା ରେକର୍ଡ କଲେ ରୋହିତ ଶର୍ମା

ଦୁବାଇ : ଟି-୨୦ ବିଶ୍ଵ କପ୍‌ ୨୦୨୧ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲା ଖେଳାଯାଉଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୭ ଓ୍ଵିକେଟ୍ ହରାଇ ୧୫୧ ରନ କରିଛି। ହେଲେ ଭାରତ ନିରାଶଜନକ ଆରମ୍ଭ କରିଥିଲା। ଓପନର ରୋହିତ ଶର୍ମା ବିନା ଖାତା ଖୋଲି ଆଉଟ୍ ହୋଇଛନ୍ତି। କେଏଲ ରାହୁଲ ୩ ରନ କରି ପାଭିଲିୟନ ଫେରିଛନ୍ତି। ଦୁଇ ବ୍ୟାଟସମ୍ୟାନ ଶାହିନ ଶାହ ଆଫ୍ରିଦିଙ୍କ ବଲ୍‌ରେ ଆଉଟ୍ ହୋଇଛନ୍ତି। ଶୂନ୍ୟରେ ଆଉଟ୍ ହେବା ସହ ରୋହିତ ଶର୍ମାଙ୍କ ନାମରେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ଅଲୋଡା ରେକର୍ଡ ହୋଇ ଯାଇଛି। ଅନ୍ୟପଟେ ପାକିସ୍ତାନ ଓ୍ଵିକେଟ୍ କିପର ମହମ୍ମଦ ରିଜଓ୍ଵାନ ରାହୁଲଙ୍କ କ୍ୟାଚ୍ ଧରି ଟି-୨୦ ଅନ୍ତର୍ଜାତୀୟରେ ନିଜର ୧୦୦ କ୍ୟାଚ୍ ପୂରା କରିଛନ୍ତି

ଏହି ମ୍ୟାଚ୍‌ରେ ପାକିସ୍ତାନ ଅଧିନାୟକ ବାବର ଆଜମ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟରେ ସବୁଠୁ ଅଧିକ ଥର ଶୂନ୍ୟରେ ଆଉଟ୍ ହେବାରେ ଭାରତର ପ୍ରଥମ ବ୍ୟାଟସମ୍ୟାନ ହେବାର ଅଲୋଡା ରେକର୍ଡ କରିଛନ୍ତି। ରୋହିତ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏ ପର୍ଯ୍ୟନ୍ତ ସବୁଠୁ ଅଧିକ ସାତ ଥର ଆଉଟ୍ ହୋଇଛନ୍ତି। ତାଙ୍କ ପୂର୍ବରୁ କେଏଲ ରାହୁଲ ୪ ଥର ଏବଂ ବିରାଟ କୋହଲି, ଋଷଭ ପନ୍ତ, ୟୁସୁଫ ପଠାନ, ସୁରେଶ ରୈନା, ଆଶିଷ ନେହେରା ଓ ଓ୍ଵାଶିଂଟନ ସୁନ୍ଦର ତିନି ତିନି ଥର ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଖାତା ଖୋଲି ପାରି ନାହାନ୍ତି।

ଅନ୍ୟପଟେ ରୋହିତ ଟି-୨୦ ବିଶ୍ଵ କପରେ କୌଣସି ମ୍ୟାଚ୍‌ରେ ଖାତା ନଖୋଲି ଆଉଟ୍ ହେବାରେ ଭାରତର ପଞ୍ଚମ ଭାରତୀୟ ବ୍ୟାଟସମ୍ୟାନ। ରୋହିତଙ୍କ ପୂର୍ବରୁ ସୁରେଶ ରୈନା ୨୦୧୬ରେ, ଆଶିଷ ନେହେରା ୨୦୧୦ରେ, ମୁରଲୀ ବିଜୟ ୨୦୧୦ରେ ଏବଂ ଦିନେଶ କାର୍ତ୍ତିକ ୨୦୦୭ ଟି-୨୦ ବିଶ୍ଵ କପରେ ଖାତା ନଖୋଲି ଆଉଟ୍ ହୋଇଛନ୍ତି।

Related Posts