ଆନ୍ଧ୍ରରେ ଘୁଞ୍ଚିଲା ରାତ୍ରିକାଳୀନ କର୍ଫ୍ୟୁ । ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ, ଆନ୍ଧ୍ରରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିଥିଲେ ରାଜ୍ୟ ସରକାର | ମାତ୍ର ସଂକ୍ରାନ୍ତି ପାଇଁ ଲୋକେ ଘରକୁ ଫେରୁଥିବାରୁ ୧୮ ତାରିଖ ପର୍ଯ୍ୟନ୍ତ ଲାଗୁ କରିଥିବା କର୍ଫ୍ୟୁକୁ ସ୍ଥଗିତ ରଖିଛନ୍ତି ରାଜ୍ୟ ସରକାର | ୧୮ରୁ କର୍ଫ୍ୟୁ କାର୍ଯ୍ୟକାରୀ ହେବା ନେଇ ଆନ୍ଧ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ରାଜ୍ୟର ବିଭିନ୍ନ ସ୍ଥାନ ତଥା ରାଜ୍ୟ ବାହାରେ ଥିବା ଲୋକେ ଘରକୁ ଫେରିବାରେ କୌଣସି ସମସ୍ୟା ନହେବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିବା ତାରିଖରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହେବା ପରିବର୍ତ୍ତେ ଚଳିତ ମାସ ୧୮ ତାରିଖରୁ ଲାଗୁ ହେବା ନେଇ ସଂଶୋଧିତ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଆଲ୍ଲା ନାନି ।

ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ସଂକ୍ରାନ୍ତି ପର୍ବ ସମୟରେ ବହୁ ସଂଖ୍ୟକ ଲୋକ ନିଜ ଗାଁକୁ ଅଭିମୁଖେ ଫେରୁଥିବା ସୂଚନା ରହିଛି । ତେବେ ଏପରି ସମୟରେ ନାଇଟ କର୍ଫ୍ୟୁ ଜାରି କରିବା ଦ୍ବାରା ସେମାନଙ୍କ ଯାତାୟତ ପ୍ରଭାବିତ ହେବ । ସେ ଆହୁରି ମଧ୍ୟ କହିଛନ୍ତି ଯେ କରୋନାର ତୃତୀୟ ପର୍ଯ୍ୟାୟକୁ ସାମ୍ନା କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି, ତେଣୁ ଭୟ କରିବାର ଆବଶ୍ୟକତା ନାହିଁ ।ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ସଂକ୍ରମଣକୁ ରୋକିବା ପାଇଁ ସରକାର ସମସ୍ତ ପ୍ରସ୍ତୁତି କରିଥିବାବେଳେ ରାଜ୍ୟବାସୀ ସହଯୋଗ କରିବା ଆବଶ୍ୟକ । ଲୋକମାନେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ଉଚିତ । ଚଳଚ୍ଚିତ୍ର ପ୍ରେକ୍ଷାଳୟରେ କେବଳ 50 ପ୍ରତିଶତ ଲୋକଙ୍କୁ ଅନୁମତି ଦିଆଯାଇଛି । ସେହିପରି ସାଧାରଣ ପରିବହନ ଯାନରେ କର୍ମଚାରୀ ଏବଂ ଯାତ୍ରୀମାନେ ମାସ୍କ ପିନ୍ଧିବା ଜରୁରୀ । ଯଦି କୌଣସି ବ୍ୟକ୍ତି କୋଭିଡ ପ୍ରୋଟୋକଲ ଉଲ୍ଲଙ୍ଘନ କରିବା ଦୃଷ୍ଟିକୁ ଆସେ ତେବେ ସେମାନଙ୍କ ବିରୋଧରେ ସ୍ଥାନୀୟ ପ୍ରଶାସନ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।