ରିଆଦ୍, (ସତ୍ୟପାଠବ୍ୟୁରୋ): ସାଉଦି ଆରବର ରାଜଧାନୀ ରିୟାଦ୍ ସ୍ଥିତ ବିମାନବନ୍ଦରରେ ହୋଇଥିବା କ୍ଷେପଣାସ୍ତ୍ର ଆକ୍ରମଣରେ ଜଣେ ଭାରତୀୟଙ୍କ ମୃତ୍ୟୁ ଘଟିଛି । ସାଉଦି ନେତୃତ୍ୱାଧୀନ ମେଣ୍ଟ ଏଥିପାଇଁ ୟେମେନର ଇରାନ-ପୃଷ୍ଠପୋଷକତା ପ୍ରାପ୍ତ ହୁଥି ବିଦ୍ରୋହୀମାନଙ୍କୁ ଦାୟୀ କରିଛି। ସାଉଦି ଆରବରେ ଥିବା ଭାରତୀୟ ଦୂତାବାସ ଏହି ଭାରତୀୟ ନାଗରିକଙ୍କ ମୃତ୍ୟୁକୁ ସ୍ପଷ୍ଟ କରିଛି । ମୃତ ଭାରତୀୟ ତେଲେଙ୍ଗାନାର ଅଧିବାସୀ ଜଣାପଡ଼ିଥିବାବେଳେ ତାଙ୍କର ଦୁଇ ପୁଅ ମଧ୍ୟ ଆହତ ହୋଇଛନ୍ତି। ମୃତ ଭାରତୀୟ ଜଣକ ହେଲେ ମହମ୍ମଦ ୟୁସୁଫ୍ ଅଲ୍ଲୀ । ସେ ତେଲେଙ୍ଗାନାର ହାଇଦ୍ରାବାଦ ମେଦିପଟ୍ଟନମର ବାସିନ୍ଦା । ସେ ପରିବାର ସହିତ ମଦିନା ଯାଉଥିବା ସମୟରେ ଏହି ଆକ୍ରମଣ ହୋଇଥିଲା । ରିୟାଦର କିଙ୍ଗ ଖାଲିଦ୍ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ହୁଥି ବିଦ୍ରୋହୀମାନେ କ୍ଷେପଣାସ୍ତ୍ରରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ମୃତ୍ୟୁସଂଖ୍ୟା ୧୩ରେ ପହଞ୍ଚିଛି । ଏଥିରେ ୩୦୦ରୁ ଅଧିକ ଆହତ ହୋଇଛନ୍ତି । ସେପଟେ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ ସେମାନେ ପରିବାର ସହ ସଂପର୍କରେ ଅଛନ୍ତି ଏବଂ ମୃତଦେହ ଶୀଘ୍ର ଭାରତ ଆଣିବା ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଉଛନ୍ତି । ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି । ସାଉଦି ଆରବରେ ହୁଥି ଆକ୍ରମଣରେ ଜଣେ ଭାରତୀୟଙ୍କ ମୃତ୍ୟୁ ପରେ ରିୟାଦରେ ଥିବା ଭାରତୀୟ ଦୂତାବାସ ସେଠାରେ ଉପସ୍ଥିତ ଭାରତୀୟଙ୍କ ପାଇଁ ଏକ ନୂତନ ପରାମର୍ଶ ଜାରି କରିଛି । ପରାମର୍ଶରେ ଭାରତୀୟମାନଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ସେମାନଙ୍କୁ ସତର୍କ ରହିବାକୁ ମଧ୍ୟ କୁହାଯାଇଛି । ଏହି ଆକ୍ରମଣରେ ୧୧ ଜଣ ଭାରତୀୟ ଆହତ ହୋଇଛନ୍ତି ।
