ଗଞ୍ଜାମ ବେଲଗୁଣ୍ଠା ବ୍ଳକ୍ ଅଞ୍ଚଳର ମୃତକ ସୁଶୀଲ ସାହୁ ଏବେ ଚର୍ଚ୍ଚାରେ । ମୃତ୍ୟୁ ପୂର୍ବରୁ ସେ 5 ଜଣଙ୍କୁ ଦେଇ ଯାଇଛନ୍ତି ନୂଆ ଜୀବନ । ପରିବାରର ଦୁଃଖ ଦୂର କରିବାକୁ ଯାଇ ସେ ସୁରଟ ଯାଇଥିବା ବେଳେ ସେଠାରେ ତାଙ୍କର ଦେହାନ୍ତ ହୋଇଥିଲା । ଶବ ହୋଇ ଘରକୁ ଫେରିଥିଲେ।

ଅଲାଡି ଗାଁର ସୁଶୀଲ ସାହୁ। ପରିବାର ଭରଣ ପୋଷଣ ପାଇଁ କାମ କରିବାକୁ ସୁରଟ ଯାଇଥିଲେ। ସେଠାରେ ଏକ କମ୍ପାନୀରେ ସେ ଶ୍ରମିକ ଭାବେ କାମ କରୁଥିଲେ। ୫ ଦିନ ତଳେ ସୁଶୀଲ କାମ କରୁଥିବା ବେଳେ ଉଚ୍ଚ ରକ୍ତଚାପ ଯୋଗୁ ଅସୁସ୍ଥ ହୋଇପଡ଼ି ଥିଲେ। ସହକର୍ମୀମାନେ ତାଙ୍କୁ ତୁରନ୍ତ ନିକଟସ୍ଥ ପ୍ରଭୁ ଜେନେରାଲ ହସ୍ପିଟାଲର ଭର୍ତ୍ତି କରିଥିଲେ। ଚିକିତ୍ସା ବେଳେ ସୁଶୀଲଙ୍କ ବ୍ରେନ୍‌ ଡେଡ୍‌ ହୋଇଯାଇଥିବା କହିଲେ ଡାକ୍ତର। ଏହା ପରେ ତାଙ୍କୁ ୩୬ ଘଣ୍ଟା ଅବଜରଭେସନରେ ରଖାଯାଇଥିଲା। ହେଲେ ସ୍ୱାସ୍ଥ୍ୟର କିଛି ଉନ୍ନତି ନହେବାରୁ ସୁଶୀଲଙ୍କ ଅଙ୍ଗଦାନ ପାଇଁ ନିଷ୍ପତ୍ତି ନେଲେ ପରିବାର ଲୋକେ।

ଡାକ୍ତରଙ୍କ ପରାମର୍ଶକ୍ରମେ ଚେନ୍ନାଇର ଏମ୍‌ଜିଏମ୍‌ ହସ୍ପିଟାଲରେ ଜଣେ ରୋଗୀଙ୍କ ଦେହରେ ସୁଶୀଲଙ୍କ ହାର୍ଟ ପ୍ରତିରୋପଣ କରାଗଲା। ସେହିଭଳି ଲିଭର ଓ ଦୁଇଟି କିଡ୍‌ନୀ ଅହମ୍ମଦାବାଦର ହସ୍ପିଟାଲରେ ଥିବା ଆଉ ଦୁଇ ଜଣ ରୋଗୀଙ୍କ ଦେହରେ ପ୍ରତିରୋପଣ କରାଯାଇଛି। ଦୁଇଟି ଆଖି ମଧ୍ୟ ଦାନ କରିଛନ୍ତି ସୁଶୀଲ। ଫଳରେ ୫ ଜଣଙ୍କୁ ମିଳିଛି ନୂଆ ଜୀବନ।

ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି ସୁଶୀଲଙ୍କ ମୃତଦେହ। ଏହାକୁ ପରିବାର ଲୋକେ ଗ୍ରହଣ କରିବା ବେଳେ କାନ୍ଦ ବୋବାଳିରେ ଫାଟି ପଡୁଥିଲା ବିମାନ ବନ୍ଦର ପରିସର। ଭାଇ ତ ଚାଲିଗଲା କିନ୍ତୁ ତା’ର ଏହି ଅଙ୍ଗ ଯଦି କାହା ଜୀବନ ବଞ୍ଚାଉଛି, ତାଠାରୁ ବଡ଼ କଥା କିଛି ନାହିଁ ବୋଲି ଭାବି ଅଙ୍ଗଦାନ କରିଦେଲୁ ବୋଲି କୋହଭରା କଣ୍ଠରେ କହିଛନ୍ତି ସୁଶୀଲଙ୍କ ଭାଇ ଅନୀଲ ସାହୁ।

ଏହା ପୂର୍ବରୁ ମଧ୍ୟ ଗଞ୍ଜାମର ସୁରଜ ବେହେରା ନାମକ ଜଣେ ଯୁବକ ସୁରଟରେ ଅଙ୍ଗଦାନ କରି ଚର୍ଚ୍ଚାକୁ ଆସିଥିଲେ ।