ହିଜାବ ବିବାଦ ଉଗ୍ର ରୂପ ଧାରଣ କରିଥିବା ବେଳେ, ଏବେ ଏହାକୁ ନେଇ ଆରଂଭ ହୋଇଗଲାଣି ରାଜନୀତି। ପୁଣି ଥରେ ଏଆଇଏମଆଇଏମ ମୁଖିଆ ଅସଦୁଦ୍ଦୀନ ଓଓ୍ୱେସୀ ହିଜାବ ପ୍ରସଙ୍ଗରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଦିନେ ହିଜାବ ପିନ୍ଧିଥିବା କେହି ଦେଶର ପ୍ରଧାନମନ୍ତ୍ରୀ ହେବେ ବୋଲି ସେ କହିଛନ୍ତି । ଏହାସହ ସେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ।

ଟ୍ୱିଟ୍ କରି ଓଓ୍ୱେସୀ କହିଛନ୍ତି ଯେ, ମୁସଲିମ ଝିଅଙ୍କୁ ଆଲ୍ଲା ଭଲରେ ରଖନ୍ତୁ । ସେମାନେ ହିଜାବ ପିନ୍ଧିବାକୁ ପସନ୍ଦ କରନ୍ତି । ସେମାନଙ୍କ ଇଚ୍ଛାକୁ ମନା କରାଯାଇ ପାରିବ ନାହିଁ । ନକାବ ଓ ହିଜାବ ପିନ୍ଧି କଲେଜ ଯିବେ ସେମାନେ ବି କଲେକ୍ଟର ହେବେ । ବ୍ୟବସାୟୀ, ଏସଡିଏମ ସବୁ ହେବେ । ଏହାସହ ହିଜାବ ପିନ୍ଧି ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ହେବେ ।

ଏହାପୂର୍ବରୁ ଓଓ୍ୱେସୀ କହିଥିଲେ ଯେ, ଭାରତର ସମ୍ବିଧାନ ଅନୁସାରେ କେହି କିଛି ବି ପିନ୍ଧି ପାରିବେ । ହିଜାବ ମୁସଲିମଙ୍କ ପରିଚୟ । ଯେଉଁ ଝିଅ ଅନ୍ୟ ପୁଅଙ୍କୁ ଜବାବ ଦେଲେ ସେ ଖୁବ ସାହସୀ । କାହାକୁ ଡରିବା କିମ୍ବା ଭୟ କରିବାର ଆବଶ୍ୟକତା ନାହିଁ । କୌଣସି ମୁସଲିମ ମହିଳା କାହାକୁ ନଡରି ହିଜାବ ପିନ୍ଧି ପାରିବେ ବୋଲି ସେ କହିଥିଲେ ।

ସୂଚନାଯୋଗ୍ୟ, କର୍ଣ୍ଣାଟକରେ ହିଜାବ ବିବାଦର ନିଆଁ ଜଳିଥିଲା । କିଛି ମୁସଲିମ ଯୁବତୀ ହିଜାବ ପିନ୍ଥି କଲେଜ ଆସିଥିଲେ । ଯାହାକୁ ଅନେକ ବିରୋଧ କରିଥିଲେ । ଏପରିକି ମାମଲା କୋର୍ଟକୁ ମଧ୍ୟ ଯାଇଥିଲା ।