ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ): ସୁପ୍ରିମକୋର୍ଟରେ ବିଚାରାଧୀନ ବହୁ ଚର୍ଚ୍ଚିତ ହିଜାବ ବ୍ଯାନ ମାମଲା ରେ ସୁପ୍ରିମକୋର୍ଟ ଖଣ୍ଡପୀଠଙ୍କ ଦ୍ଵିମତ ଦେଖିବାକୁ ମିଳିଛି। ଶିକ୍ଷାନୁଷ୍ଠାନ ପରିସରରେ ହିଜାବ ପରିଧାନ ବାରଣ କରିଛନ୍ତି କର୍ଣ୍ଣାଟକ ସରକାର । ଏହାକୁ ବିରୋଧ କରି ଆଗତ ମାମଲାର ଶୁଣାଣି ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠରେ ହୋଇଛି । ତେବେ ଦୁଇ ପ୍ରକାର ମତ ରଖିଛନ୍ତି ଦୁଇ ବିଚାରପତି ।ଫଳରେ ମାମଲା ପ୍ରଧାନ ବିଚାରପତିଙ୍କ ପାଖକୁ ପଠାଯାଇଛି।
ତେବେ ଜଷ୍ଟିସ ହେମନ୍ତ ଗୁପ୍ତା ହିଜାବ ପରିଧାନ ବ୍ୟାନ ସପକ୍ଷରେ ମତ ଦେଇଛନ୍ତି। ସେ କହିଛନ୍ତି ଯେ, ସେଭଳି କୌଣସି ଧାର୍ମିକ ପ୍ରଥା ମୁସଲିମ ସମ୍ପ୍ରଦାୟର ନାହିଁ । ସେପଟେ ଜଷ୍ଟିସ ସୁଧାଂଶୁ ଧୂଳିଆ ହିଜାବ ବ୍ୟାନ୍ର ବିରୋଧରେ ମତ ରଖିଛନ୍ତି । ସେ କହିଛନ୍ତି ଯେ, ନାରୀ ଶିକ୍ଷା ସବୁଠୁ ଗୁରୁତ୍ୱପୂର୍ଣ୍ଣ ।
ସୂଚନା ଅନୁସାରେ, ଗତ ଜାନୁଆରୀ ମାସରୁ ହିଜାବ ବିବାଦ ଆରମ୍ଭ ହୋଇଥିଲା । କର୍ଣ୍ଣାଟକ ଉପୁଡି ଜିଲ୍ଲାରେ କିଛି ଛାତ୍ରୀ ହିଜାବ ପିନ୍ଧି ସ୍କୁଲକୁ ଆସିବା ପରେ ଦେଖାଦେଇଥିଲା ବିବାଦ । ପରେ ସାରା ରାଜ୍ୟକୁ ଏହି ବିବାଦ ବ୍ୟାପିଥିଲା । ମୁସଲିମ୍ ଛାତ୍ରୀମାନେ ସ୍କୁଲକୁ ହିଜାବ ପିନ୍ଧି ଆସି ପାରିବେ ନାହିଁ ବୋଲି ଗତ ଫେବ୍ରୁଆରୀ ୫ ତାରିଖରେ କର୍ଣ୍ଣାଟକ ସରକାର ନିର୍ଦ୍ଦେଶନାମା ଲାଗୁ କରିଥିଲେ । ଏହାକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କିଛି ମୁସଲିମ୍ ଛାତ୍ରୀ । ଗତ ମାର୍ଚ୍ଚ ମାସରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ଆଦେଶକୁ କାଏମ ରଖିଥିଲେ । ପରେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା ।
