ହେଲିକପ୍ଟର କ୍ରାସ୍‌ ଘଟଣା: ଜଣେ ଓଡ଼ିଆ ଯବାନ ମୃତ

ବୁଧବାର ତାମିଲନାଡୁ କୁନ୍ନୁରରେ ଘଟିଯାଇଛି ଏକ ବଡ ଦୁର୍ଘଟଣା | ବାୟୁସେନା ହେଲିକପ୍ଟର କ୍ରାସ୍‌ ହୋଇଛି | ଯେଉଁ ଅଘଟଣରେ ଚିଫ୍ ଅଫ୍ ଡିଫେନ୍ସ ବିପିନ୍ ରାୱତ, ତାଙ୍କ ପତ୍ନୀ ମଧୁଲିକାଙ୍କ ସହ ୧୩ ଜଣଙ୍କ ଅକାଳରେ ବିୟୋଗ ହୋଇଛି | ଏହି ଘଟଣାରେ ଜଣେ ଓଡ଼ିଆ ଯବାନଙ୍କ ମୃତ୍ୟୁ ହୋଇଛି । ପ୍ରାଣ ହରାଇଥିବା ଓଡ଼ିଆ ଯବାନ ହେଉଛନ୍ତି ରାଣାପ୍ରତାପ ଦାସ।

ରାଣାପ୍ରତାପଙ୍କ ମୃତ୍ୟୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ସୂଚନା ପ୍ରଦାନ କରାଯାଇନି। ରାଣାପ୍ରତାପଙ୍କ ମୃତ୍ୟୁ ଖବର ଗତକାଲି ତାଙ୍କ ପତ୍ନୀ ପରିବାର ଲୋକଙ୍କୁ ଜଣାଇଥିଲେ। ଆଜି ରାତିରେ ମୃତଦେହ ତାଳଚେରରେ ପହଞ୍ଚିବ ବୋଲି ଜଣାଯାଇଛି । ରାଣାପ୍ରତାପ ପତ୍ନୀ ଓ ଶିଶୁପୁତ୍ର ସହ ଦିଲ୍ଲୀରେ ରହୁଥିଲେ। ତାଙ୍କ ବାପାମା ଗାଁରେ ରହୁଛନ୍ତି।

ସୂଚନାଯୋଗ୍ୟ, ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍‌ ଜେନେରାଲ ରାୱତଙ୍କ ସମେତ ମୋଟ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଭାରତୀୟ ବାୟୁସେନା ପକ୍ଷରୁ ଟ୍ୱିଟ କରି ଏବାବଦରେ ସ୍ପଷ୍ଟ କରାଯାଇଛି । କୋଏମ୍ବାଟୁର୍‌ ନିକଟ ସୁଲୁରୁସ୍ଥିତ ବାୟୁସେନା ବିମାନଘାଟିରୁ ‘ସିଡିଏସ୍‌’ ରାୱତ୍ ହେଲିକପ୍ଟର୍‌ ଯୋଗେ କୁନୁର୍‌ର ୱେଲିଂଟନ୍ ଅଭିମୁଖେ ଯାତ୍ରା କରୁଥିଲେ। ୱେଲିଂଟନ୍‌ଠାରେ ଥିବା ଆର୍ମଫୋର୍ସର ଏକ କଲେଜରେ ମୁଖ୍ୟ ବକ୍ତାଭାବେ ଯୋଗଦେବାକୁ ସିଡିଏସ ବିପିନ ରାୱତ, ତାଙ୍କ କର୍ମଚାରୀ ଏବଂ ପରିବାର ସଦସ୍ୟମାନେ ଏମଆଇ-ସିରିଜ୍‌ ହେଲିକପ୍ଟରରେ ଯାଉଥିଲେ। ତେବେ କୋଏମ୍ବାଟୁର ଏବଂ ସୁଲୁର ମଧ୍ୟରେ ଥିବା କୁନୁରରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ସିଡିଏସ୍‌ ଜେନେରାଲ ରାୱତ, ପତ୍ନୀ ମଧୁଲିକାଙ୍କ ସହ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ୯ ଜଣ ଯାତ୍ରୀ ଏବଂ ପାଞ୍ଚ ଜଣ କ୍ରୁ ସଦସ୍ୟ ଥିଲେ।

Related Posts