ଆବୁଜା, (ସତ୍ୟପାଠବ୍ୟୁରୋ): ଦକ୍ଷିଣ ନାଇଜେରିଆରେ ବଡ଼ ଧରଣର ଅଘଟଣ ଘଟିଛି। ବେନିନ୍ ସିଟିରୁ ଲାଗୋସ୍ ଅଭିମୁଖେ ଯାଉଥିବା ଏକ ନିୟମିତ ଅଭିଯାନରେ ଥିବା ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨୫ ଜଣ ଯାତ୍ରୀ ଓ ୭ ଜଣ କ୍ରୁ ସଦସ୍ୟଙ୍କର ମୃତ୍ୟୁ ଘଟିଛି। ବିମାନଟି ଏକ ନୌସେନା ଘାଟି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ ନଦୀ କୂଳରେ ଲୋକଙ୍କ ଭିଡ଼ ଜମିଛି ଏବଂ ଉଦ୍ଧାରକାରୀ ଦଳ ଡଙ୍ଗା ସାହାଯ୍ୟରେ ସେହି ଅଞ୍ଚଳରେ ଖୋଜାଖୋଜି କରୁଛନ୍ତି। ଏହି ଘଟଣାରେ ଦକ୍ଷିଣ-ପଶ୍ଚିମ ଓଣ୍ଡୋ ରାଜ୍ୟର ଇଗ୍ବୋକୋଡା ଠାରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏନେଇ ସୂଚନା ଦେଇ ଟିନୁବୁଙ୍କ କାର୍ଯ୍ୟାଳୟ ଏକ ବିବୃତ୍ତିରେ କହିଛି ଯେ, ରାଷ୍ଟ୍ରପତି ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୫ ଜଣ ଯାତ୍ରୀ ଏବଂ ୭ ଜଣ କର୍ମଚାରୀଙ୍କ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଆମ ସଶସ୍ତ୍ର ବାହିନୀ ଏବଂ ସମଗ୍ର ଦେଶ ପାଇଁ ଏହା ଏକ ଦୁଃଖଦ ମୁହୂର୍ତ୍ତ ବୋଲି ସେ କହିଛନ୍ତି। ଏନେଇ ଟିନୁବୁଙ୍କ ମୁଖପାତ୍ର ବାୟୋ ଓନାନୁଗା ପରବର୍ତ୍ତୀ ଅନ୍ୟ ଏକ ବିବୃତ୍ତିରେ କହିଛନ୍ତି ଯେ, ରାଷ୍ଟ୍ରପତି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବାୟୁସେନା କର୍ମଚାରୀଙ୍କ ପାଇଁ ତିନି ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଏହାସହିତ ସେ ଅଧିକାରୀମାନଙ୍କ ପ୍ରତି ସମ୍ମାନ ଜଣାଇବା ପାଇଁ ସାରା ଦେଶରେ ଜାତୀୟ ପତାକାକୁ ଅର୍ଦ୍ଧନମିତ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ପରିବାରକୁ ସୂଚନା ଦେବା ପରେ ବାୟୁସେନା ସେମାନଙ୍କ ପରିଚୟ ପ୍ରକାଶ କରିବ।
