ନୂଆପଡ଼ା: ହୋଇପାରୁନି ପିଲାଙ୍କ ରାସନ କାର୍ଡ। ପ୍ରାୟ ବର୍ଷେ ହେବ ପଞ୍ଚାୟତ ଅଫିସରେ ଇ-କେୱାଇସି କିମ୍ବା ରାସନକାର୍ଡରେ ଛୋଟପିଲାଙ୍କ ନାଁ ସଂଯୋଗ ହେଉ ନଥିବା ଅଭିଯୋଗ ହୋଇଛି। ଫଳରେ ସଦର ବ୍ଳକ ସମେତ ବିଭିନ୍ନ ପଞ୍ଚାୟତରେ ହନ୍ତସନ୍ତ ହେଉଛନ୍ତି ହିତାଧିକାରୀ। ଏଠାରେ ନୂତନ ରାସନକାର୍ଡ ସଂଯୋଗ ହୋଇପାରୁନ ଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ନପୂର୍ଣ୍ଣା ଯୋଜନାରେ ରାସନକାର୍ଡ ଧାରୀଙ୍କୁ ଅଧିକ ୫କେଜି ଚାଉଳ ଦେବାକୁ ଘୋଷଣା ହୋଇଛି। କିନ୍ତୁ ଅନେକ ରାସନ କାର୍ଡରେ ପିଲାଛୁଆଙ୍କ ନାଁ ଯୋଡି ହୋଇ ନଥିବାରୁ ପିଡ଼ିଏସ ଚାଉଳ ମିଳୁନହିଁ। ହିତାଧିକାରୀମାନେ ରାସନ କାର୍ଡରେ ନାଁ ଯୋଡିବା ପାଇଁ ପଞ୍ଚାୟତକୁ ଦୌଡ଼ୁଛନ୍ତି। ପ୍ରତି ପଞ୍ଚାୟତରେ ଯୋଗାଣ ସହାୟକ ରାସନ କାର୍ଡ ହିତାଧିକାରୀଙ୍କ ଇ-କେୱାଇସି କରିବା ସହ ନୂତନ ନାଁ ଯୋଡ଼ିବା କଥା କିନ୍ତୁ ବିଭିନ୍ନ ଆଳ ଦେଖାଇ ଆଜି କାଲି କହି ଫେରାଇ ଦେଉଛନ୍ତି। ଫଳରେ ହିତାଧିକାରୀମାନେ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡ଼ି ହଇରାଣ ହେଉଛନ୍ତି। ଯୋଗାଣ ସ‌ହାୟକମାନେ ପଞ୍ଚାୟତରେ ଏହି କାମ ହୋଇ ପାରୁନାହିଁ ବୋଲି କହି ବ୍ଳକ ଅଫିସକୁ ପଠାଇ ଦେଉଛନ୍ତି। ପ୍ରତିବାଦରେ ପିଲାଛୁଆଙ୍କୁ ଧରି ହିତାଧିକାରୀମାନେ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି। ନୂଆପଡ଼ା ବ୍ଳକର ଦର୍ଲିମୁଣ୍ଡା, ସାଇପଲା, କୋଟେନଚୁଆଁ, ସାରାବଙ୍ଗ, ଭଇଁଷାତାଲ, କାଦୋମେରୀ, ବେଲଟୁକୁରୀ, ଟାନୱଟ ଆଦି ପଞ୍ଚାୟତର ଶତାଧ‌ିକ ରାସନକାର୍ଡ ହିତାଧିକାରୀ ପିଲାଛୁଆକୁ ଧରି ବ୍ଲକ ଅଫିସକୁ ଆସିଥିଲେ। କିନ୍ତୁ ବ୍ଳକ କର୍ତ୍ତୃପକ୍ଷ କୁଆଡ଼େ ହିତାଧିକାରୀଙ୍କୁ ଦେଖି ଅଫିସ ମୁଖ୍ୟ ଗେଟ ବନ୍ଦକରି ଦେଇଥିବା ଅଭିଯୋଗ କରିଛନ୍ତି। ଏହାପରେ ହିତାଧିକାରୀ ଓ ପିଲାଛୁଆମାନେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ। ଜିଲ୍ଲାପାଳଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଜିଲ୍ଲାପାଳ ସୁବାଷଚନ୍ଦ୍ର ରଇତଙ୍କୁ ଭେଟି ସେମାନେ ସମସ୍ୟାର ସମାଧାନ କରିବାକୁ ଗୁହାରି କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।