ନୂଆଦିଲ୍ଲୀ (ସତ୍ୟପାଠ ବ୍ୟୁରୋ): ଭାରତ ଓ ଯୁକ୍ତରାଜ୍ୟ ମଧ୍ୟରେ ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପିତ ହୋଇଛି । ପ୍ରଥମ ଥର ପାଇଁ ଭାରତୀୟ ବାୟୁସେନାର ୩ ଜଣ ଯୋଗ୍ୟତାପ୍ରାପ୍ତ ଉଡ଼ାଣ ପ୍ରଶିକ୍ଷକ ୱେଲ୍ସସ୍ଥିତ ୟୁକେ ରୟାଲ୍ ଏୟାରଫୋର୍ସ ଭ୍ୟାଲିରେ ନିୟୋଜିତ ହୋଇଛନ୍ତି, ଯେଉଁମାନେ ବ୍ରିଟେନର ରୟାଲ୍ ଏୟାରଫୋର୍ସ ପାଇଲଟମାନଙ୍କୁ ତାଲିମ ପ୍ରଦାନ କରିବେ। ଭାରତୀୟ ବାୟୁସେନା ପକ୍ଷରୁ ସୋସିଆଲ ମିଡିଆ ମଞ୍ଚ ‘ଏକ୍ସ’ ରେ ଏହି ସୂଚନା ଦିଆଯିବା ସହ ଏହାକୁ ଦୁଇ ଦେଶର ପ୍ରତିରକ୍ଷା ସମ୍ପର୍କ, ସାମରିକ ଦକ୍ଷତା ଏବଂ ଆନ୍ତଃ-ପରିଚାଳନାଗତ ସହଯୋଗ ବୃଦ୍ଧି କ୍ଷେତ୍ରରେ ଏକ “ଐତିହାସିକ ପ୍ରଥମ ପଦକ୍ଷେପ” ବୋଲି ବର୍ଣ୍ଣନା କରାଯାଇଛି। ସୂଚନାଯୋଗ୍ୟ ଯେ, ଆରଏଏଫ୍ ଭ୍ୟାଲି ହେଉଛି ବ୍ରିଟେନ୍ ବାୟୁସେନାର ଏକ ପ୍ରମୁଖ ତାଲିମ କେନ୍ଦ୍ର।
ଗତବର୍ଷ ଅକ୍ଟୋବରରେ ବ୍ରିଟେନ ପ୍ରଧାନମନ୍ତ୍ରୀ କିଏର ଷ୍ଟାର୍ମରଙ୍କ ଭାରତ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ହୋଇଥିବା ଦ୍ୱିପାକ୍ଷିକ ବୈଠକରେ ଏହି ସହଯୋଗ ନେଇ ସମ୍ମତି ପ୍ରକାଶ ପାଇଥିଲା । ଏହି ଆଲୋଚନାରେ ଦୁଇ ଦେଶର ସଶସ୍ତ୍ର ବାହିନୀ ମଧ୍ୟରେ ଯୁଗ୍ମ ସାମରିକ ଅଭ୍ୟାସ, ତାଲିମ ଏବଂ କ୍ଷମତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା ।