ନୂଆଦିଲ୍ଲୀ,(ସତ୍ୟପାଠବ୍ୟୁରୋ) : ବିଶ୍ଵ ଐତିହ୍ୟ ମାନ୍ୟତା ପାଇବ ଭାରତର ୫ ସ୍ଥାନ। ୟୁନେସ୍କୋ ବିଶ୍ୱ ଐତିହ୍ୟ ମାନ୍ୟତା ପାଇବା ପୂର୍ବରୁ ୱାର୍ଲଡ ହେରିଟେଜ୍ ଟେଣ୍ଟାଟିଭ୍ ତାଲିକାରେ ସ୍ଥାନ ପାଇଛି ଭାରତର ୫ ସ୍ଥାନ। ଏଥିରେ ମଧ୍ୟପ୍ରଦେଶର ବିଦିଶା, ଧାର୍, ମୁରୈନା ଓ ରାୟସେନ ଜିଲ୍ଲାର ଚାରି ସ୍ଥାନ ଅଛି । ପଞ୍ଚମଟି ‘ସାଇଟ୍ସ ଅଫ୍ ସତ୍ୟାଗ୍ରହ’ । ବିଦିଶା ଜିଲ୍ଲାର ଉଦୟଗିରି ଗୁମ୍ଫା, ଧାର ଜିଲ୍ଲାର ବାଘ ଗୁମ୍ଫା, ମୁରୈନା ଜିଲ୍ଲାର ଚମ୍ବଲ ଘାଟିର ମନ୍ଦିର ସମୂହ ଓ ରାୟସେନର ଗିନ୍ନୌରଗଡ଼ ଦୁର୍ଗକୁ ତାଲିକାଭୁକ୍ତ କରାଯାଇଛି। ଏଥିସହିତ ୟୁନେସ୍କୋ ଟେଣ୍ଟାଟିଭ୍ ତାଲିକାରେ ଭାରତର ମୋଟ୍ ୭୮ଟି ସ୍ଥାନ ସାମିଲ ହୋଇଛି । ପ୍ରଥମେ ଏକ ସ୍ଥାନକୁ ୟୁନେସ୍କୋର ଟେଣ୍ଟାଟିଭ୍ ତାଲିକାରେ ସାମିଲ କରାଯାଏ । ତା’ପରେ ତାକୁ ବିଶ୍ୱ ଐତିହ୍ୟ ସ୍ଥଳୀର ମାନ୍ୟତା ନିମନ୍ତେ ବିଚାର କରାଯାଏ । ସେଥିପାଇଁ ଏହି ୫ ସ୍ଥାନକୁ ବର୍ତ୍ତମାନ ୟୁନେସ୍କୋର ବିଶ୍ୱ ଐତିହ୍ୟ ସ୍ଥଳୀର ମାନ୍ୟତା ମିଳିନାହିଁ । ଉଦୟଗିରି ଗୁମ୍ଫାରେ ମୋଟ୍ ୨୦ ଗୁମ୍ଫା ଅଛି । ଏଥିରେ ହିନ୍ଦୁ ଧର୍ମ ସହ ସଂଶ୍ଳିଷ୍ଟ ମନ୍ଦିର ଓ ମୂର୍ତ୍ତି ରହିଛି । ବାଘ ଗୁମ୍ଫା ଧାର୍ ଜିଲ୍ଲାରେ ବାଘ ଟାଉନ୍ ନିକଟରେ, ବାଘୁଣି ନଦୀ କୂଳରେ ବିନ୍ଧ୍ୟ ପର୍ବତରେ ଅବସ୍ଥିତ । ଧାର୍ରୁ ଏହାର ଦୂରତା ପ୍ରାୟ ୯୭ କିମି । ଏଠାରେ ପଥର କାଟି ୯ ବୌଦ୍ଧ ଗୁମ୍ଫା ନିର୍ମାଣ ହୋଇଛି । ଗିନ୍ନୌରଗଡ଼ ଦୁର୍ଗ ଭୋପାଳଠୁ ପ୍ରାୟ ୬୦-୬୫ କିମି ଦୂରରେ ସ୍ଥିତ ଏକ ପ୍ରାଚୀନ ପାହାଡ଼ିଆ ଦୁର୍ଗ । ରାତାପାନୀ କ୍ଷେତ୍ରର ଆଖପାଖ ଘଞ୍ଚ ଜଙ୍ଗଲ ଓ ପାହାଡ଼ ମଧ୍ୟରେ ଏହା ଅବସ୍ଥିତ । ମୁରୈନା ଜିଲ୍ଲାର ଚମ୍ବଲ ଘାଟିରେ ବଟେଶ୍ୱର, ପଦାବଳୀ ଓ କକର୍ମଠ ମନ୍ଦିର ରହିଛି । ଏହି ୩ ମନ୍ଦିର ଚମ୍ବଲ କ୍ଷେତ୍ରରେ ମନ୍ଦିର ସ୍ଥାପତ୍ୟର ବିକାଶ କାହାଣୀ ବର୍ଣ୍ଣନା କରେ । ‘ସାଇଟ୍ସ ଅଫ୍ ସତ୍ୟାଗ୍ରହ’ ଭାରତ ଓ ଦକ୍ଷିଣ ଆଫ୍ରିକାର ୯ ଐତିହାସିକ ସ୍ଥଳୀର ସମୂହ । ଏହାର ଉଦ୍ଦେଶ୍ୟ ମହାତ୍ମା ଗାନ୍ଧୀଙ୍କ ସତ୍ୟାଗ୍ରହର ବିକାଶ ଓ ତାଙ୍କ ଯାତ୍ରାକୁ ଦେଖାଇବା ।
