ଭୁବନେଶ୍ବର, (ସତ୍ୟପାଠ ବ୍ୟୁରୋ): ଆଜି ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣିର ୨୦ ତମ ପାଳିରେ ୬୦୦ରୁ ଊର୍ଦ୍ଧ୍ବ ଅଭିଯୋଗ ଆସିଥିଲା। ସେମାନଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଧା ସଳଖ ଆଲୋଚନା କରି ସେମାନଙ୍କ ଅଭିଯୋଗ ଶୁଣିଥିଲେ। ୧୬ ଜଣ ଭିନ୍ନକ୍ଷମ ଓ ଜଟିଳ ରୋଗରେ ପୀଡ଼ିତଙ୍କୁ ତ୍ବରିତ ସହାୟତା ଦିଆଯାଇଥିଲା। ଏହି ୧୬ ଜଣଙ୍କୁ ସିଙ୍ଗଲ ୱିଣ୍ଡୋରେ ୧୪ ଲକ୍ଷ ୫୦ ହଜାର ଟଙ୍କା ଦିଆଯାଇଛି। ୨୦୨୪ ଜୁଲାଇ ୧ରୁ ଆଜି ପର୍ଯ୍ୟନ୍ତ ୨ ଲକ୍ଷ ୬୯ ହଜାର ଅଭିଯୋଗ ଆସିଛି। ସେଥିମଧ୍ୟରୁ ୨ ଲକ୍ଷ ୩୩ ହଜାର ସମାଧାନ ସରିଛି। ଯାହାର ସଫଳତା ୮୭ ପ୍ରତିଶତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜିର ଏହି ଜନ ଶୁଣାଣିରେ ମନ୍ତ୍ରୀ ମଣ୍ଡଳର ୧୦ ବରିଷ୍ଠ ସଦସ୍ୟଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ମନ୍ତ୍ରୀ ସୁରେଶ ପୂଜାରୀ, କୃଷ୍ଣ ଚନ୍ଦ୍ର ମହାପାତ୍ର, ଗଣେଶ ରାମ ସିଂ ଖୁଣ୍ଟିଆ ଓ ଅନ୍ୟ ମନ୍ତ୍ରୀ ମାନେ ମଧ୍ୟ ଉପସ୍ଥିତ ଥିଲେ। ଭୁବନେଶ୍ୱର ୟୁନିଟ-୨ରେ ଚାଲିଥିଲା ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ। ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠ କରାଯାଇଥିବାବେଳେ ଯେଉଁଠି ସିଧା ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ ଆଲୋଚନା କରିଛନ୍ତି।
