୨୨ କୃଷକ ସଙ୍ଗଠନ ମିଶି ଗଢିଲେ ‘ସଂଯୁକ୍ତ ସମାଜ ମୋର୍ଚ୍ଚା’ : ବୈଠକ ଲାଗି ଏସକେଏମର ପ୍ରସ୍ତାବ

ସତ୍ୟପାଠ 26/12 ଚଣ୍ଡିଗଡ଼: ଆସନ୍ତା ବର୍ଷ ହେବାକୁଥିବା ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କୃଷକ ସଙ୍ଗଠନର ୨୨ଟି ଗୋଷ୍ଠୀ ଏକଜୁଟ ହୋଇ ନିର୍ବାଚନ ମୈଦାନକୁ ଓହ୍ଲାଇବେ ବୋଲି ଶନିବାର ଘୋଷଣା କରିଛନ୍ତି । ଗତ କୃଷକ ଆନ୍ଦୋଳନ କାଳରେ ଏହି କୃଷକ ଗୋଷ୍ଠୀମାନେ ମିଳିତ କୃଷକ ମଞ୍ଚ (ଏସକେଏମ) ବ୍ୟାନରରେ ଏକଜୁଟ ହୋଇଥିଲେ। ସରକାର ଚାଷୀଙ୍କ ଦାବି ଆଗରେ ମୁଣ୍ଡ ନୁଆଇଁ ଆଇନ ପ୍ରତ୍ୟାହାର କରିନେଇଥିବା ବେଳେ ୨୨ ସଙ୍ଗଠନ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତେବେ ନିର୍ବାଚନ ଓ ରାଜନୀତି ସାଙ୍ଗରେ ଆମର କୌଣସି ସମ୍ପର୍କ ନାହିଁ ବୋଲି ଏସକେଏମ ସ୍ପଷ୍ଟ କରିଦେଇଛି। ନିର୍ବାଚନ ଓ ରାଜନୀତିର ଚର୍ଚ୍ଚା କରୁଥିବା ସଙ୍ଗଠନର ନେତାଙ୍କ ସମ୍ପର୍କରେ ନିଷ୍ପତ୍ତି ନେବାକୁ ଏସକେଏମ ଜାନୁୟାରୀ ୧୫ରେ ବୈଠକ ଆହ୍ୱାନ କରିଛି। ତେବେ ଶନିବାର ଚଣ୍ଡିଗଡରେ ୨୨ କୃଷକ ସଙ୍ଗଠନ ଏକ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିବ ବୋଲି ସଫାସଫା କହିଦେଇଛି। ଏଥିଲାଗି ସଙ୍ଗଠନମାନେ ମିଳିତ ସମାଜ ମୋର୍ଚ୍ଚା ଗଠନ କରିଥିବା କହିଛନ୍ତି।

ଏହି ସଙ୍ଗଠନର ନେତୃତ୍ୱ ବଲବୀର ସିଂହ ରାଜେୱାଲ ନେବେ ବୋଲି ଘୋଷଣା କରାଯାଇଛି। ତେବେ ମିଳିତ ସମାଜ ମୋର୍ଚ୍ଚାରେ ସାମିଲ ହେବେ କି ନା ସେ ନେଇ ବିକେୟୁ (ଡୋକଣ୍ଡା) ଓ ବିକେୟୁ(ଲଖୋୱାଲ)କୁ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବାକୁ କୁହାଯାଇଛି। ଚାଷୀଙ୍କ ଏହି ନୂଆ ପାର୍ଟି ରାଜ୍ୟର ୧୧୭ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଛିଡା କରିବେ। କୃଷକନେତାମାନେ ଶନିବାର ଏହା ପୁଷ୍ଟିମଧ୍ୟ କରିଦେଇଛନ୍ତି। ସେପଟେ ଏସକେଏମର କୋର କମିଟି ସଦସ୍ୟ ଗୁରୁନାମ ସିଂ ଚଢୁନୀ ଏକ ରାଜନୈତିକ ସଙ୍ଗଠନ ମିଳିତ ସଂଘର୍ଷ ପାର୍ଟିର ଘୋଷଣା କରିଥିଲେ। ତେବେ ଏସକେଏମ ସହ ଜଡିତ ଅନେକ କୃଷକ ସଙ୍ଗଠନ ନିର୍ବାଚନ ଓ ରାଜନୀତିରୁ ନିଜକୁ ଏବେବି ଦୂରେଇ ରଖିଛନ୍ତି। ତେବେ ରାଜନୀତି ନେଇ ଏସକେଏମ ନିଜର ନୀତି ପୁଣି ଥରେ ସ୍ପଷ୍ଟ କରିଦେଇଛି। ଏହା ନିରୋଳା ଚାଷୀ ସଙ୍ଗଠନ ଓ କୌଣସି ରାଜନୀତି ଦୂରାଭିସନ୍ଧି ନଥିବା ଏସକେଏମ କହିଛି। ତେବେ ନିର୍ବାଚନ ଓ ପ୍ରଚାରରେ ଏସକେଏମର ନାମ ନ ନେବା ପାଇଁ ସଙ୍ଗଠନ କାର୍ଯ୍ୟକର୍ତ୍ତା ନିବେଦନ କରିଛନ୍ତି। ତେବେ ଏସକେଏମ ସହ ସଂଯୁକ୍ତ କୃଷକ ସଙ୍ଗଠନର ଯେଉଁ ବ୍ୟକ୍ତି ଓ ଗୋଷ୍ଠୀ ନିର୍ବାଚନ ଓ ରାଜନୀତିରେ ଜଡ଼ିତ ହେବେ ସେମାନଙ୍କ ସମ୍ପର୍କରେ ଜାନୁୟାରୀ ୧୫ ବୈଠକରେ ନିଷ୍ପତ୍ତି ହେବ ବୋଲି କୁହାଯାଇଛି।

Related Posts