ବାଲେଶ୍ବର (ସତ୍ୟପାଠବ୍ୟୁରୋ): ବାଲେଶ୍ୱରରୁ ଉଦ୍ଧାର ୫ ଓରାଂଓଟାଙ୍ଗଙ୍କ ଯତ୍ନ ପାଇଁ ଗଠିତ ହେଲା ବୈଷୟିକ କମିଟି। ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ଏହି ବୈଷୟିକ କମିଟି ଗଠନ କରାଯାଇଛି। ବନ୍ୟଜନ୍ତୁ ସୁରକ୍ଷା ଓ ଉଦ୍ଧାର ପରବର୍ତ୍ତୀ ଯତ୍ନ ସମ୍ପର୍କିତ ବିଭିନ୍ନ ବୈଷୟିକ ପରାମର୍ଶ ଦେବା ସହିତ ଓରାଂଉଟାନଙ୍କୁ ଉପଯୁକ୍ତ ଭାବେ ଯତ୍ନ ନେବା ଉଦ୍ଦେଶ୍ୟରେ ଏହି କମିଟି ଗଠନ କରାଯାଇଛି। କମିଟିର କାର୍ଯ୍ୟକାଳ ୬ ମାସ ରହିବ। ଆବଶ୍ୟକତା ଅନୁଯାୟୀ ଏହାର କାର୍ଯ୍ୟକାଳ ବଢ଼ାଯାଇପାରେ। ଏହି କମିଟିରେ ୫ ଜଣ ସଦସ୍ୟ ଅଛନ୍ତି। ୱାଇଲ୍ଡଲାଇଫ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ, ଡେରାଡୁନର ନିର୍ଦ୍ଦେଶକ ମଧ୍ୟ ସଦସ୍ୟ ଅଛନ୍ତି। ସେଣ୍ଟର ଫର୍ ୱାଇଲ୍ଡଲାଇଫ୍ ହେଲଥ, ଓୟୁଏଟି ଭୁବନେଶ୍ୱରର ପ୍ରୋଜେକ୍ଟ କୋ-ଅର୍ଡିନେଟର ମଧ୍ୟ ସଦସ୍ୟ ଅଛନ୍ତି। ଏଥିସହ ଭୁବନେଶ୍ୱର ନନ୍ଦନକାନନର ନିର୍ଦ୍ଦେଶକ ମଧ୍ୟ କମିଟିରେ ସଦସ୍ୟ ରହିଛନ୍ତି। କମିଟିର ଆବଶ୍ୟକତା ଅନୁଯାୟୀ ଦେଶ ଓ ବିଦେଶର ବ୍ୟକ୍ତି ତଥା ସଂଗଠନର ବିଶେଷଜ୍ଞଙ୍କ ସହ ପରାମର୍ଶ କରିପାରିବେ।