ନୂଆଦିଲ୍ଲୀ, (ସତ୍ୟପାଠବ୍ୟୁରୋ) : ଏସଏସିରେ ଚୀନ୍ ସେନାର ମୁତୟନ ହ୍ରାସ ପାଇଛି। ବ୍ରିକ୍ସ ସମ୍ମିଳନୀ ୨୦୨୬ ଶେଷ ହେବା ପରେ ଭାରତ-ଚୀନ୍ ସମ୍ପର୍କକୁ ନେଇ ଆସିଛି ବଡ଼ ଖବର। ରକ୍ଷା ମନ୍ତ୍ରଣାଳୟର ସଦ୍ୟ ପ୍ରକାଶିତ ରିପୋର୍ଟରେ ଏନେଇ ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ୨୦୨୫ରେ ଭାରତର ଉତ୍ତର ସୀମା ସାମ୍ନାରେ ଚୀନ୍ର ପିପୁଲ୍ସ ଲିବରେସନ୍ ଆର୍ମି ବା PLAର ମୁତୟନ ହ୍ରାସ ପାଇଛି । LAC ସଂଲଗ୍ନ ଚୀନ୍ ଅଞ୍ଚଳ ଓ ସେଠାକାର ସାମରିକ ପ୍ରଶିକ୍ଷଣ କ୍ଷେତ୍ରରେ PLAର ୧୦ଟି କମ୍ବାଇନ୍ଡ ଆର୍ମସ୍ ବ୍ରିଗେଡ୍ ମୁତୟନ ଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ୨୦୨୦ରୁ ପୂର୍ବ ଲଦାଖରେ ଭାରତ-ଚୀନ୍ ସେନା ମଧ୍ୟରେ ଅଶାନ୍ତ ଜାରି ରହିଥିଲା। ସୀମା ବିବାଦକୁ ନେଇ ଉଭୟ ଦେଶ ମଧ୍ୟରେ ସାମରିକ ଓ କୂଟନୈତିକ ସ୍ତରରେ ଲଗାତାର ଆଲୋଚନା ହୋଇଥିଲା। ଏହାରି ଭିତରେ ୨୦୨୪ରେ କିଛି ଅଞ୍ଚଳରୁ ସେନା ପଛକୁ ହଟାଇବା ବା ଡିସଇଙ୍ଗେଜମେଣ୍ଟ ପ୍ରକ୍ରିୟା ଆଗକୁ ବଢ଼ିଥିଲା। ଏବେ ୨୦୨୫ରେ ଚୀନ୍ ସେନାର ମୁତୟନ କମିବା ଖବର ସାମ୍ନାକୁ ଆସିବା ପରେ ସୀମାରେ ଟଣାଓଟରା ହ୍ରାସ ପାଇବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ବୋଲି କୁହାଯାଉଛି। ସୀମାରେ ସେନା ମୁତୟନ କମାଇ ସ୍ଥିତିକୁ ପୁଣି ସ୍ୱାଭାବିକ କରିବା ଉପରେ ଭାରତ ଗୁରୁତ୍ୱ ଦେଇଆସୁଛି । ସେପଟେ ଭାରତ-ଚୀନ୍ ସୀମା ବିବାଦର ସମାଧାନ ପାଇଁ ସ୍ପେଶାଲ ରିପ୍ରେଜେଣ୍ଟେଟିଭ୍ ବା SR ସ୍ତରୀୟ ଆଲୋଚନା ମଧ୍ୟ ପୁଣି ଆରମ୍ଭ ହୋଇଛି । ୨୦୨୪ ଡିସେମ୍ବର ଏବଂ ୨୦୨୫ ଅଗଷ୍ଟରେ ଏହାର ଦୁଇଟି ପର୍ଯ୍ୟାୟରେ ଆଲୋଚନା ହୋଇଥିଲା ।
୨୦୨୫ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ ଚୀନ୍ ଗସ୍ତ କରି ତିଆନଜିନ୍ରେ ଅନୁଷ୍ଠିତ SCO ସମ୍ମିଳନୀରେ ସାମିଲ ହୋଇଥିଲେ। ଏହି ଅବସରରେ ଭାରତ-ଚୀନ୍ ସମ୍ପର୍କକୁ ଆଗକୁ ବଢ଼ାଇବା ସହ ସୀମା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲା । ଏବେ ଚୀନ୍ ସେନାର ମୁତୟନ ହ୍ରାସ ଘଟଣାକୁ ଦୁଇ ଦେଶ ମଧ୍ୟରେ ଟଣାଓଟରା କମିବାର ଆଶଙ୍କା ରହିଛି ।
