
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କପି କରି ଧରାପଡ଼ିଲେ ବିଜେପିର ଜଣେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ । ତେବେ ଡୁନ ସ୍କୁଲରେ ପରୀକ୍ଷାବେଳେ କପି କରି ଧରାପଡ଼ିଛନ୍ତି ବିଜେପିର ଜଣେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଏବଂ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ସେପଟେ କୌଣସି ପ୍ରତିଷ୍ଠିତ ଗଣମାଧ୍ୟମରେ ପ୍ରକାଶ ପାଇନଥିଲେ ହେଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ପରିବାର ସମ୍ପର୍କିତ ହାଇ ପ୍ରୋଫାଇଲ ଖବର ହୋଇଥିବାରୁ ଆଲୋଚନାର ବିଷୟ ପାଲଟିଥିଲା । ସୋସିଆଲ ମିଡିଆରେ ବହୁଳ ପ୍ରସାରିତ ତଥ୍ୟ ଅନୁଯାୟୀ ଡେରାଡୁନ ସ୍ଥିତ ଡୁନ ଇଣ୍ଟରନ୍ୟାଶନାଲର ଦୁଇ ଜଣ ଛାତ୍ର ପରୀକ୍ଷା ଦେବାବେଳେ ଅସାଧୁ ଉପାୟ ଅବଲମ୍ବନ କରି ଧରା ପଡ଼ିଥିଲେ ।
କିନ୍ତୁ ସନ୍ଧ୍ୟାରେ ସ୍କୁଲ କତ୍ତୃପକ୍ଷ ଏହା ପରୀକ୍ଷା ସମ୍ପର୍କିତ ନୁହେଁ ବରଂ ହଷ୍ଟେଲ ବିଶଙ୍ଖଳା ବୋଲି କହିବା ସହ ଉଭୟ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବାର ସଫେଇ ଦେଇଥିଲେ । ତେବେ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ସେମାନଙ୍କ ବହିଷ୍କାର ଅଟକାଇ ଦିଆଯାଇଛି । କିନ୍ତୁ ଦୁହିଁଙ୍କୁ ହଷ୍ଟେଲରୁ ବିଦା କରାଯାଇଥିବା କୁହାଯାଉଛି । ଆମ ଆଦମି ପାର୍ଟି ନେତା ସଞ୍ଜୟ ସିଂ ଟ୍ୱିଟ କରିବା ପରେ ଏହି ପ୍ରସଙ୍ଗ ସରଗରମ ହୋଇଥିଲା । ଅନ୍ୟପଟେ ଫିଲ୍ମ ନିର୍ମାତା ବିନୋଦ କାପ୍ରି ଏହାକୁ ରିଟ୍ୱିଟ କରିଥିବାର ମଧ୍ୟ ଦେଖିବାକୁ ମିଳିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।