ବନ୍ଦ ହେଲା ହୀରାକୁଦ ଡ୍ୟାମ୍‌ର ୧୦ଟି ଗେଟ୍

ହୀରାକୁଦରେ ବନ୍ଦ ହେଲା ୧୦ଟି ଗେଟ୍ । ଆଜି ସକାଳେ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଥିବାବେଳେ ଏବେ ପ୍ରବେଶ ଓ ନିଷ୍କାସନକୁ ଆଖି ଆଗରେ ରଖି ୧୦ଟି ଗେଟ୍ ବନ୍ଦ କରାଯାଇଛି । ଏବେ ଡ୍ୟାମ୍ ର ୧୦ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି ।

ଗତକାଲି ପ୍ରଥମେ ଡ୍ୟାମର ଦୁଇଟି ଗେଟ୍ ଖୋଲାଯାଇଥିବା ବେଳେ ପର୍ଯ୍ୟାୟ କ୍ରମେ ଆଉ ୧୬ଟି ଗେଟ ଖୋଲାଯାଇଥିଲା। ଏହାପରେ ସନ୍ଧ୍ୟାରେ ଆଉ ୪ଟି ଗେଟ୍ ଖୋଲାଯାଇଥିଲା। ତେବେ ଗତ ବୁଧବାର ଦିନ ସାଢ଼େ ଏଗାରଟା ବେଳେ ହୀରାକୁଦ ଡ୍ୟାମର ଗୋଟିଏ ଗେଟ୍ ଖୋଲା ଯାଇଥିଲା। ଏହି ଗେଟ୍‌ ଦ୍ୱାରା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଥିଲା। ହେଲେ ଉକ୍ତ ଦିନ  ଅପରାହ୍ନ ୨ଟା ପରେ ଏହାକୁ ବନ୍ଦ କରି ଦିଆଯାଇଥିଲା।

ଚଳିତ ଥର ହୀରାକୁଦ ପାଣି ଛଡ଼ା ହେବା ଦ୍ୱାରା ବନ୍ୟାର କୌଣସି ଆଶଙ୍କା ଦେଖାଯାଇ ନାହିଁ । ହେଲେ ନଦୀ କୂଳବର୍ତ୍ତୀ ଜିଲାର ଜିଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ସହ ପର୍ଯ୍ୟାପ୍ତ ପରିମାଣର ରିଲିଫ୍‌ ସାମଗ୍ରୀ ମହଜୁଦ ରଖିବାକୁ ସେମାନଙ୍କୁ କୁହାଯାଇଛି।

Related Posts