2008ରେ ଦୋହଲିଥିଲା ପୁରା ଆସାମ, ସିରିଏଲ୍‌ ବିସ୍ଫୋରଣ ମାମଲାରେ 10 ଜଣଙ୍କୁ ଆଜୀବନ ଜେଲ୍‌

2008 ଆସାମ ସିରିଆଲ୍ ବୋମା ବିସ୍ଫୋରଣ ମାମଲାରେ ଦୋଷୀଙ୍କୁ ହୋଇଛି ଦଣ୍ଡାଦେଶ । ସିବିଆଇ ସ୍ବତନ୍ତ୍ର କୋର୍ଟ 10 ଦୋଷୀଙ୍କୁ ଦଣ୍ଡାଦେଶ ଦେଇଛନ୍ତି । ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଏନଡିଏଫବି ମୁଖ୍ୟ ରଂଜନ ଦଇମାରୀ ଓ ଅନ୍ୟ 9 ଜଣଙ୍କୁ ମିଳିଛି ଆଜୀବନ କାରାଦଣ୍ଡାଦେଶ । 28 ତାରିଖରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ମାମଲାରେ ଦୋଷୀ ସାବ୍ୟସ୍ତ ଅନ୍ୟ ତିନିଜଣଙ୍କୁ ଜୋରିମାନା ବଦଳରେ ଖଲାସ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

କଡା ସୁରକ୍ଷା ମଧ୍ୟରେ ସିବିଆଇ ସ୍ପେଶାଲ୍ କୋର୍ଟ ବିଚାରପତି ଅପରେଶ୍ ଚକ୍ରବର୍ତ୍ତୀ 10 ଦୋଷୀଙ୍କୁ ଦଣ୍ଡାଦେଶ ଦେଇଥିଲେ । ଅନ୍ୟ ଦୁଇ ଦୋଷୀ ପୂର୍ବରୁ ଦଣ୍ଡାଦେଶ ଭୋଗି ସାରିଥିବାରୁ ସେମାନଙ୍କ ଖଲାସ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଆଜୀବନ କାରାଦଣ୍ଡାଦେଶ ବିରୋଧରେ ସେ ଉପର କୋର୍ଟରେ ଅପିଲ କରିବେ ବୋଲି ଏନଡିଏଫବି ମୁଖ୍ୟ ରଂଜନ ଦଇମାରୀ କହିଛନ୍ତି ।

ରଂଜନ ଦଇମାରୀ ଓ ଅନ୍ୟ 14 ଜଣଙ୍କୁ ଆଇପିସିର ବିଭିନ୍ନ ଧାରା ଅନୁସାରେ ସୋମବାର ଦିନ ସିବିଆଇ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ରଂଜନ ଦଇମାରୀ ଦୋଷୀ ସାବ୍ୟସ୍ତ ହେଲା ପରେ ତୁରନ୍ତ ତାଙ୍କ ଜାମିନ ବାତିଲ ହୋଇଯାଇଥିଲା ।

2008 ମସିହା ଅକ୍ଟୋବର 30 ତାରିଖରେ 9 ଟି ସିରିଜ୍ ବିସ୍ଫୋରଣରେ ଥରି ଉଠିଥିଲା ଆସାମ । ଗୁଆହାଟୀ ଓ କୋକ୍ରାଝରରେ ତିନିଟି ଲେଖାଏଁ ବିସ୍ଫୋରଣ ହୋଇଥିଲା ବେଳେ ବାରପେଟାରେ 2ଟି ଓ ବୋଙ୍ଗାଇଗାଓଁରେ ଗୋଟିଏ ବିସ୍ଫୋରଣ ହୋଇଥିଲା । 9ଟି ବିସ୍ଫୋରଣରେ 88 ଜଣ ପ୍ରାଣ ହରାଇଥିଲେ । 540 ଜଣ ଆହତ ହୋଇଥିଲେ । ରାଜ୍ୟରେ ସ୍ବତନ୍ତ୍ର ବୋଡୋଲ୍ୟାଣ୍ଡ ରାଜ୍ୟ ଦାବି କରୁଥିବା ନ୍ୟାସନାଲ ଡେମୋକ୍ରାଟିକ ଫ୍ରଣ୍ଟ୍ ଅଫ୍ ବୋଡୋଲ୍ୟାଣ୍ଡ୍-ଏନଡିଏଫବିକୁ ବିସ୍ଫୋରଣ ପାଇଁ ଦାୟୀ କରାଯାଇଥିଲା ।

ପ୍ରଥମେ ଆସାମ ପୋଲିସ କରୁଥିଲା ମାମଲାର ଯାଞ୍ଚ । ପରେ ସିବିଆଇକୁ ଦିଆଯାଇଥିଲା ତଦନ୍ତ ଦାୟିତ୍ବ । ସିବିଆଇ ଦାଖଲ କରିଥିଲା ଦୁଇଟି ଚାର୍ଜସିଟ୍‌ରେ 22 ଅଭିଯୁକ୍ତଙ୍କ ନାଁ ଥିଲା । ଏମାନଙ୍କ ମଧ୍ୟରୁ 7 ଜଣ ଏବେ ବି ଫେରାର ଅଛନ୍ତି । ପ୍ରଥମ ଚାର୍ଜସିଟ୍ 2009 ଓ ଦ୍ବିତୀୟ ଚାର୍ଜସିଟ୍ 2010ରେ ଦାଖଲ କରାଯାଇଥିଲା ।

2011ରେ ମାମଲାର ବିଚାର ଆରମ୍ଭ ହୋଇଥିଲା । 2017ରେ ମାମଲା ଫାଷ୍ଟ ଟ୍ରାକ୍ କୋର୍ଟକୁ ସ୍ଥାନାନ୍ତର ହୋଇଥିଲା । ମାମଲାର ଶୁଣାଣି ବେଳେ 650 ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା । ଏନଡିଏଫବି ମୁଖ୍ୟ ରଂଜନ ଦଇମାରୀଙ୍କୁ 2010ରେ ଗିରଫ କରାଯାଇ ଗୁଆହାଟୀ ସେଣ୍ଟ୍ରାଲ୍ ଜେଲ୍‌ରେ ରଖାଯାଇଥିଲା । 2013ରେ ଦଇମାରୀଙ୍କୁ ସର୍ତ୍ତମୂଳକ ଜାମିନ ମିଳିଥିଲା ।

Related Posts