ଆଉ ଜଣେ ଭଣ୍ଡ ବାବା ହେଲା ବେନକାବ୍‌

ବିହାରର ସୁପୋଲରେ ଆଉ ଜଣେ ଭଣ୍ଡ ବାବାର ପର୍ଦ୍ଦାଫାସ୍‌ ହୋଇଛି । କବୀର ବିଚାର ମଞ୍ଚର, ଅନ୍ତରାଷ୍ଟ୍ରୀୟ ସନ୍ଥଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରିଛି ପୋଲିସ୍‌ । ଏହି ସନ୍ଥଙ୍କର ନାଁ ହେଲା ମନମୋହନ ସାହେବ । ତାଙ୍କ ବିରୋଧରେ ଦୁଇ ଭଉଣୀ ଆଣିଛନ୍ତି ଦୁଷ୍କର୍ମ ଓ ବ୍ଲାକ୍‌ମେଲ୍ କରିବା ଅଭିଯୋଗ । ଭିଡ଼ିଓ ମାଧ୍ୟମରେ ବାବା, ସେମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ କରି ଦୁଇ ଭଉଣୀ ଇମେଲ୍‌ ପଠାଇବା ପରେ ପୁରା ମାମଲାର ଖୁଲାସା ହୋଇଛି ।

ନିଜକୁ ବିହାର ବିଭୂତି ବାଳ ବ୍ରହ୍ମଚାରୀ ଭଳି ଉପାଧିରେ ପ୍ରଚାର କରୁଥିବା ଏହି ବାବାର ଘୃଣ୍ୟ ସତ୍ୟକୁ ସମାଜ ସାମ୍ନାକୁ ଆଣିଛନ୍ତି ଦୁଇ ଭଉଣୀ । କବୀର ବିଚାର ସନ୍ଥର ମଞ୍ଚର ଅନ୍ତରାଷ୍ଟ୍ରୀୟ ସନ୍ଥ ମନମୋହନ ସାହେବ ଉପରେ ଅଭିଯୋଗ ଲାଗିଛି ଯେ ସେ ଦୁଇ ଭଉଣୀଙ୍କୁ ଦୁଷ୍କର୍ମ କରିବା ପରେ ଭିଡ଼ିଓ ପ୍ରସ୍ତୁତ କରି ବର୍ଷ ବର୍ଷ ଧରି ଯୌନ ଶୋଷଣ କରୁଥିଲା ।

ଲୁଧିଆନାର ବାସିନ୍ଦା ଦୁଇ ଭଉଣୀଙ୍କ ଯନ୍ତ୍ରଣାସିକ୍ତ କାହାଣୀ ସାମ୍ନାକୁ ଆସିନଥାନ୍ତା ଯଦି ରାମ ରହିମକୁ ଦଣ୍ଡ ମିଳିନଥାନ୍ତା । ପ୍ରଶାସନର ବରିଷ୍ଠ ଅଧିକାରୀଙ୍କୁ ପଠାଇଥିବା ଇମେଲ୍‌ ଅନୁସାରେ ବଡ଼ ଭଉଣୀ ନିଜ ସହ ହୋଇଥିବା ଅତ୍ୟାଚାର କଥା ସାନ ଭଉଣୀ କଥା ସେତେବେଳେ କହିଲା ଯେତେବେଳେ ରାମ ରହିମକୁ ଦଣ୍ଡ ମିଳିଲା ।

ବଡ଼ ଭଉଣୀ କଥା ଶୁଣି ସାନ ଭଉଣୀ ବି ତା’ ସହ ଘଟିଥିବା ଅଘଟଣ ବାବଦରେ ମୁହଁ ଖୋଲିଲା ଆଉ ଦୁହେଁ ମିଶି ପ୍ରଶାସନକୁ ଇମେଲ୍‌ ପଠାଇବାକୁ ସାହସ ଜୁଟାଇଲେ । ସୁପୋଲ ମହିଳା ଥାନାରେ ବି ଲିଖିତ ଭାବେ ଅଭିଯୋଗ କଲେ । କାରଣ ଏ ଘଟଣା ସୁପୋଲରୁ ହିଁ ଆରମ୍ଭ ହୋଇଥିଲା । 2010ରେ ମନମୋହନ ସୁପୋଲରେ ଏକ ଧାର୍ମିକ କାର୍ଯ୍ୟକ୍ରମ କରୁଥିଲା ଯେଉଁଠାକୁ ନିଜ ପରିବାର ଲୋକଙ୍କ ସହ ଯାଇଥିଲେ ଦୁଇ ଭଉଣୀ । ସେଠାରେ ଏହି ସନ୍ଥ ରୂପୀ ସଇତାନ ସାନ ଭଉଣୀ ଉପରେ ଅତ୍ୟାଚାର କରିଥିଲା ।

ଗତ କିଛି ବର୍ଷ ଭିତରେ ଯେଉଁଭଳି ଭାବରେ ବହୁ ବାବା ଆଇନ ଜାଲରେ ପଡ଼ି ଜେଲ୍‌ ଗଲେଣି, ତା ଫଳରେ ଭଣ୍ଡ ବାବାଙ୍କ ନିର୍ଯାତନା ସହୁଥିବା ଯୁବତୀଙ୍କ ଭିତରେ ସାହସ ଆସିଛି ଏବଂ ଏବେ ସେହି ସାହସ ବାବା ମନମୋହନଙ୍କ କଳା କାରନାମା ଖୋଲିଛି ।

Related Posts