ସ୍ଥଗିତ ନୁହେଁ ବାତିଲ୍: ନବୀନ ନିବାସ ସାମ୍ନାରେ ଦଶମ ଛାତ୍ରଛାତ୍ରୀଙ୍କ ଧାରଣା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପରୀକ୍ଷା ବାତିଲ ଦାବିରେ ଆଜି ନବୀନ ନିବାସ ସମ୍ମୁଖରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ପ୍ରତିବାଦ କରିଛନ୍ତି। କରୋନା ଭୟାବହତାକୁ ଦୃଷ୍ଟିରେ ରଖି ସରକାର ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ସ୍ଥଗିତ ଘୋଷଣା କରିଛନ୍ତି। କିନ୍ତୁ ଏହି ନିଷ୍ପତ୍ତିକୁ ଛାତ୍ରଛାତ୍ରୀ ମାନେ ବିରୋଧ କରିଛନ୍ତି। ସେମାନଙ୍କ ଦାବି ହେଉଛି ,” ଯଦି ସିବିଏସଇ ପିଲାଙ୍କ ପରୀକ୍ଷା ବାତିଲ କରାଯାଉଛି, ତାହେଲେ ଆମ ପରୀକ୍ଷା କାହିଁକି ବାତିଲ କରାଯିବନାହିଁ।” ଏହି ଛାତ୍ରଛାତ୍ରୀମାନେ ପ୍ରଥମେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଭେଟିଥିଲେ। କିନ୍ତୁ ମନ୍ତ୍ରୀଙ୍କ ନିକଟରୁ କୌଣସି ସନ୍ତୋଷଜନକ ଉତ୍ତର ନ ମିଳିବାରୁ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପାଇଁ ନବୀନ ନିବାସ ଯାଇଥିଲେ। ମୁଖ୍ୟମନ୍ତ୍ରୀ ଅନୁପସ୍ଥିତ ଥିବା ହେତୁ ,ତାଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ତେବେ ଛାତ୍ରଛାତ୍ରୀ ମାନେ ଚେତାବନୀ ଦେଇଛନ୍ତି ଯେ, ସରକାର ଯଦି ଦୁଇ ଦିନ ଭିତରେ କିଛି ନିଷ୍ପତ୍ତି ନ ନିଅନ୍ତି ତେବେ ସେମାନେ ରାଜରାସ୍ତାରେ ଆନ୍ଦୋଳନ କରିବେ। ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ସରକାର ସବୁ ଦିଗକୁ ବିଚାର କରି ଖୁବଶୀଘ୍ର ନିଷ୍ପତ୍ତି ନେବେ। ସୂଚନାଯୋଗ୍ୟ ଯେ , କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏପ୍ରିଲ୍‌ ୧୫ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଉଭୟ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷାକୁ ସ୍ଥଗିତ ରଖିବାକୁ ଘୋଷଣା କରିଥିଲେ । ସ୍ଥିତିରେ ସୁଧାର ଆସିଲା ପରେ ପରୀକ୍ଷା ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ। ସିବିଏସ୍‌ଇ ୧୦ମ ଶ୍ରେଣୀ ପରୀକ୍ଷାକୁ ବାତିଲ କରିଥିବା ବେଳେ ଆଜି ଆସିଏସ୍ଇ ମଧ୍ୟ ଦଶମ ପରୀକ୍ଷା ବାତିଲ କରିଛି।

Related Posts