କାଲିଠୁ ରାଜଧାନୀର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଆସନ୍ତା କାଲି ଠାରୁ ଭୁବନେଶ୍ବରର ସମସ୍ତ ଧର୍ମାନୁଷ୍ଠାନ ଗୁଡିକ ବନ୍ଦ ରହିବ । କେବଳ ନୀତିକାନ୍ତି ଓ ପୂଜାର୍ଚ୍ଚନା କରାଯିବ। କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ବିଏମସି କମିଶନର ପ୍ରେମ୍ ଚାନ୍ଦ ଚୌଧୁରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ବିଏମ୍‌ସି ଅଧୀନରେ ଥିବା ବିଭିନ୍ନ ଧର୍ମର ଧର୍ମଗୁରୁ, କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଏହି ନିଷ୍ପତ୍ତି ନିଆଯାଇଛି। ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଧର୍ମାନୁଷ୍ଠାନ ଗୁଡିକରେ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ବାରଣ କରାଯାଇଛି। ଏ ନେଇ ବିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ନିର୍ଦ୍ଦେଶନାମା ଅନୁଯାୟୀ ନୀତିକାନ୍ତି ସଂପନ୍ନ କରୁଥିବା ପୂଜକ ଓ କର୍ମଚାରୀମାନଙ୍କ ପାଇଁ ମାସ୍କ ବ୍ଯବହାର କରିବା ବାଧ୍ୟତାମୂଳକ କରାଯାଇଛି। ପୂଜକ ମାନେ ଧର୍ମାନୁଷ୍ଠାନରେ ପ୍ରବେଶ କରିବା ପୂର୍ବରୁ ଥର୍ମାଲ ସ୍କ୍ରିନିଂ କରିବା ସହ ହ୍ୟାଣ୍ଡ ୱାସରେ ହାତ ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଆଗାମୀ ଦିନରେ ସ୍ଥିତିରେ ସୁଧାର ଆସିଲେ ପୁଣି ଥରେ ଧର୍ମାନୁଷ୍ଠାନ ଗୁଡ଼ିକୁ ଖୋଲାଯିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ଯେ , ଗତକାଲି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୪୬୮ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୮୨ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲା ବେଳେ ୩୮୬ଟି ଲୋକାଲ୍ କେସ୍ ଥିଲା।

Related Posts