ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଓଡ଼ିଶାରେ ବଢ଼ିବ ୧୧ ଲୋକସଭା । ୭୪ ବିଧାନସଭା ଆସନ! । ସମସ୍ତ ରାଜ୍ୟର ବିଧାନସଭା ଆସନ ସଂଖ୍ୟା ୫୦% ଲେଖାଏଁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ସଂସଦର ସ୍ବତନ୍ତ୍ର ଅଧିବେଶନରେ ଡିଲିମିଟେସନ୍ ବିଲ୍,୨୦୨୬ ଆସିବାକୁ ଯାଉଛି। ଏ ନେଇ ଏକ ଚିଠା ବିଲ୍ ଆଜି ସାଂସଦମାନଙ୍କୁ ଦିଆଯାଇଛି। ଏହି ଆଧାରରେ ଦେଶରେ ଲୋକସଭା ଆସନ ସଂଖ୍ୟା ୫୪୩ରୁ ୮୫୦କୁ ବୃଦ୍ଧି ପାଇବାକୁ ଥିବାବେଳେ ଓଡ଼ିଶାରେ ଲୋକସଭା ଆସନ ସଂଖ୍ୟା ୨୧ରୁ ୩୧ କିମ୍ବା ୩୨କୁ ବଢ଼ିପାରେ। ସେହିପରି ବିଧାନସଭା ଆସନ ସଂଖ୍ୟା ୭୩ କିମ୍ବା ୭୪ଟି ବଢ଼ିପାରେ। ଏହାହେଲେ ଓଡ଼ିଶାରେ ବିଧାନସଭା ଆସନ ସଂଖ୍ୟା ୨୨୦ କିମ୍ବା ୨୨୧ ହେବ। ରାଜ୍ୟରେ ଲୋକସଭା ଓ ବିଧାନସଭା ଆସନ ସଂଖ୍ୟା ବଢ଼ିବାକୁ ଯାଉଥିବାରୁ ସବୁ ରାଜନୈତିକ ଦଳର ନେତାଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ସେପଟେ ଏପ୍ରିଲ ୧୬ରୁ ଅାରମ୍ଭ ହେବାକୁ ଥିବା ସଂସଦର ସ୍ବତନ୍ତ୍ର ଅଧିବେଶନରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ଆସିବାକୁ ଥିବାବେଳେ ଉଭୟ ଲୋକସଭା ଓ ବିଧାନସଭାରେ ମହିଳାଙ୍କୁ ୩୩% ସଂରକ୍ଷଣ ଦେବାକୁ ଆଇନ ଲାଗୁ ହେବ। ଏହାସହ ୨୦୧୧ ଜନଗଣନା ଆଧାରରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା, ଡିଲିମିଟେସନ୍ କମିସନ୍ ଗଠନ କରିବା ପାଇଁ ଏହି ବିଲ୍ରେ ନିୟମ ରହିଛି।
