ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ୍, ଯାନବାହନ ଚଳାଚଳ ପ୍ରଭାବିତ

ଭୁବନେଶ୍ୱର,୨୫/୩ (ସତ୍ୟପାଠ ବ୍ୟୁରୋ): ଜିଲ୍ଲା ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା ‌ଦେଇଛି କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି। ଆଜି ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି। ସକାଳୁ ସକାଳୁ ବନ୍ଦର ପ୍ରଭାବ ମଧ୍ୟ ପରିଲକ୍ଷିତ ହେଉଛି। ଏବେ କଣ୍ଟାବାଞ୍ଜିରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିବା ବେଳେ ଦୋକାନ ବଜାର ବନ୍ଦ ରହିଥିବାବେଳେ ବ୍ୟାଙ୍କ, ସରକାରୀ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ ମଧ୍ୟ ବନ୍ଦ ରହିବ ବୋଲି କୁହାଯାଇଛି।

ସେପଟେ ବନ୍ଦ ପାଳନକୁ ତୁରେକେଲା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକ ସହ କଣ୍ଟାବାଞ୍ଜି NACର ସମସ୍ତ ସଂଗଠନ ସମର୍ଥନ କରିଛନ୍ତି। ଏହି ବନ୍ଦ୍ ସମୟରେ ଜରୁରୀ କାଳୀନ ସେବା ଏବଂ ଯେଉଁ ସ୍କୁଲ କଲେ ରେ ପରୀକ୍ଷା ଚାଲୁଛି ତାହାକୁ ବନ୍ଦରୁ ବାଦ ଦିଆଯାଇଛି। ବନ୍ଦ ପାଳନରେ ସହରର ବିଭିନ୍ନ ସଂଗଠନ ଏବଂ ରାଜନୈତିକ ଦଳ ବି ସାମିଲ ହୋଇଥିବା ଜଣାଯାଇଛି। ଆଜି ସକାଳେ ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ବିଭିନ୍ନ ସ୍ଥାନରେ ବନ୍ଦକୁ ସମର୍ଥନ ଦେବାକୁ ଅନୁରୋଧ କରୁଛନ୍ତି। ଏହାଫଳରେ ଯାତାୟତରେ ଅସୁବିଧା ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ ଯେ, କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ପାଇଁ ଦାବି କରିବା ଆଜିର ନୁହେଁ। ୧୯୯୨ ମସିହାରୁ କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦେବା ଲାଗି ଦାବି ହୋଇଆସୁଛି। ଜିଲ୍ଲା ଦାବି ନେଇ ଗତବର୍ଷ ନଭେମ୍ବର ୨୪ ତାରିଖ ଦିନ ମଧ୍ୟ ବନ୍ଦ ଡାକରା ଦିଆଯାଇଥିଲା।

Related Posts