ଭୁବନେଶ୍ୱର,୨୫/୩ (ସତ୍ୟପାଠ ବ୍ୟୁରୋ): କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ ସେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି। ଶୁକ୍ରବାର ରାହୁଲ ଟୁଇଟ୍ କରି କହିଛନ୍ତି ଯେ, ‘ମୁଁ ଭାରତର ସ୍ୱର ପାଇଁ ଲଢ଼ୁଛି, ଏବଂ ମୁଁ ଏଥିପାଇଁ ଯେକୌଣସି ମୁଲ୍ୟ ଦେବାକୁ ପ୍ରସ୍ତୁତ ଅଛି।’ ତେବେ ରାହୁଲ ଗାନ୍ଧୀଙ୍କୁ ଗୁରୁବାର ଗୁଜୁରାଟର ସୁରଟ କୋର୍ଟରେ ମାନହାନି ମାମଲାରେ ଦୁଇବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଥିଲା। ଏହା ପରେ, ଆଇନ ଅନୁଯାୟୀ, ତାଙ୍କର ସଂସଦୀୟ ସଦସ୍ୟତା ରଦ୍ଦ କରାଯାଇଥିଲା। ଏନେଇ ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ୨୦୧୯ରେ ମୋଦୀ’ ଉପନାମ (ସାଙ୍ଗିଆ)କୁ ନେଇ ଦେଇ‌ଥିବା ବିବାଦୀୟ ବିବୃତ୍ତି ଉପରେ ହୋଇ‌ଥିବା ମାନହାନୀ ମାମଲାରେ ତାଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ପରେ ଶୁକ୍ରବାର ଦିନ ସଂସଦର ନିମ୍ନ ଗୃହର ସଦସ୍ୟତାରୁ ବରଖାସ୍ତ କରାଯାଇଥିଲା। ଲୋକସଭା ସଚିବାଳୟ କେରଳରେ ତାଙ୍କ ନିର୍ବାଚନମଣ୍ଡଳୀ ୱାୟାନଡକୁ ଖାଲି ଘୋଷଣା କରିଛି। ନିର୍ବାଚନ ଆୟୋଗ ବର୍ତ୍ତମାନ ଏହି ଆସନରେ ଉପ-ନିର୍ବାଚନ ଘୋଷଣା କରିପାରିବେ। ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀରେ ତାଙ୍କ ସରକାରୀ ବଙ୍ଗଳା ଖାଲି କରିବାକୁ ଏକ ମାସ ସମୟ ମିଳିବ।

ଏହି କାର୍ଯ୍ୟାନୁଷ୍ଠାନ ପଛରେ ଏକ ଷଡଯନ୍ତ୍ର କରାଯାଇଛି ବୋଲି କଂଗ୍ରେସ କହିଛି। ରାହୁଲ ଗାନ୍ଧୀ ସରକାରଙ୍କୁ କଠୋର ପ୍ରଶ୍ନ ପଚାରୁଥିବାରୁ, ତାଙ୍କ ମୁହଁ ଚୁପ୍ କରିବା ପାଇଁ ଏପରି କରାଯାଇଛି ବୋଲି କଂଗ୍ରେସ ଦାବି କରିଛି। ସେପଟେ ବିଜେପି ଏହି କାର୍ଯ୍ୟାନୁଷ୍ଠାନକୁ ‘ଆଇନଗତ’ ବୋଲି କହିଛି। ରାହୁଲଙ୍କ ମନ୍ତବ୍ୟ ଉପରେ କୋର୍ଟ ଏକ ଏକ ନିରପେକ୍ଷ ରାୟ ଦେଇଛନ୍ତି। ସେ ସମ୍ପୁର୍ଣ୍ଣ ଅନ୍ୟ ପଛୁଆ ବର୍ଗ (ଓବିସି) ସମ୍ପ୍ରଦାୟକୁ ଅପମାନିତ କରିଥିବା ବିଜେପି ଦାବି କରିଛି।