କରୋନା ମୁକାବିଲା ପାଇଁ ୧୨ OASଙ୍କୁ ପଶ୍ଚିମ ଓଡ଼ିଶା ଦାୟିତ୍ୱ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ କରୋନା ସ୍ଥିତି ଅଣାୟତ୍ତ। ଏହାକୁ ଦୃଷ୍ଟିରେ ରଖି ୧୨ OAS ଅଧିକାରୀଙ୍କୁ ପଶ୍ଚିମ ଓଡ଼ିଶା ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଏହି ୧୨ OAS ଅଧିକାରୀ କୋଭିଡ୍ ମୁକାବିଲା ଓ ପରିଚାଳନାରେ ଜିଲ୍ଲାପାଳମାନଙ୍କୁ ସହଯୋଗ କରିବେ। ନୂଆପଡ଼ା ଜିଲ୍ଲା ପାଇଁ ୩ OAS ଅଧିକାରୀ ହେମନ୍ତ କୁମାର ସିଂହ, ବିବେକାନନ୍ଦ ସାହୁ ଓ ଶ୍ବେତ କୁମାର ଦାଶଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ବଲାଙ୍ଗିର ଜିଲ୍ଲା ପାଇଁ ଅଯୋଧ୍ୟାକାନ୍ତ ଶତପଥୀ, ଦିଲୀପ କୁମାର ମହାପାତ୍ର ଏବଂ ବରଗଡ ଜିଲ୍ଲା ପାଇଁ ଦୁର୍ଗାପ୍ରସାଦ ମହାପାତ୍ର, ଧୀରେନ୍ଦ୍ରନାଥ କରଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ସମ୍ବଲପୁର ଜିଲ୍ଲା ପାଇଁ ମଧୁସୂଦନ ବେହେରା, ପ୍ରଭାତ କୁମାର ସାହୁ ଏବଂ ସୁନ୍ଦରଗଡ଼ ଜିଲ୍ଲା ପାଇଁ ସନ୍ତୋଷ ଦାସ, ଆଶିଷ ଜେନା, ଦେବାଶିଷ ପଟ୍ଟନାୟକଙ୍କୁ ଦାୟିତ୍ୱ ଦିଆଯାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬,୦୭୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ବଲାଙ୍ଗିର ଜିଲ୍ଲାରୁ ୪୫୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୂଆପଡ଼ାରୁ ୪୦୦, ସୁନ୍ଦରଗଡ଼ରୁ ୩୭୧ ଓ ସମ୍ବଲପୁରରୁ ୧୫୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୨୦ ହଜାର ୧୨୯କୁ ବୃଦ୍ଧି ପାଇଛି। ସେହିପରି ମୋଟ୍ ୫୦,୯୫୮ ଆକ୍ଟିଭ କେସ୍ ରହିଛି।

Related Posts