ତାମିଲନାଡୁର ରାମେଶ୍ବରମ ଉପକୂଳରୁ 12 ଶ୍ରୀଲଙ୍କା ନାଗରିକ ଉଦ୍ଧାର

ଚେନ୍ନାଇ: ତାମିଲନାଡୁର ରାମେଶ୍ବରମ ଉପକୂଳରୁ ଉଦ୍ଧାର ହେଲେ 12 ଜଣ ଶ୍ରୀଲଙ୍କା ନାଗରିକ । ଭାରତୀୟ ତଟରକ୍ଷୀ ବାହିନୀ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ଏମାନଙ୍କ ମଧ୍ୟରେ ଏକାଧିକ ଶିଶୁ ଓ ମହିଳା ମଧ୍ୟ ରହିଛନ୍ତି । ଏମାନେ ଗୋଟିଏ ପରିବାରର ସଦସ୍ୟ କିମ୍ବା ସମ୍ପର୍କୀୟ ହୋଇଥିବା ନେଇ ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି । ଏମାନେ ସମସ୍ତେ ତାମିଲ ସମ୍ପ୍ରଦାୟର ଓ ଆଡାମ ବ୍ରିଜ ନିକଟରେ ଏକ ବାଲୁକାଖଣ୍ଡରେ ଫସି ରହିଥିଲେ । ଏମାନଙ୍କୁ କୋଷ୍ଟଗାର୍ଡ ଟିମ ଉଦ୍ଧାର କରିବା ପରେ କୋଷ୍ଟାଲ ସିକ୍ୟୁରିଟି ଗୃପକୁ ହସ୍ତାନ୍ତର କରିଛି । ପରେ ସମସ୍ତ ଆବଶ୍ୟକୀୟ ପ୍ରୋଟୋକଲ ମଧ୍ୟ ଗ୍ରହଣ କରିଛି କୋଷ୍ଟଗାର୍ଡ ।

ସମସ୍ତଙ୍କୁ ରାମେଶ୍ବରମର ମଣ୍ଡପ ରେଲଓ୍ବେ ଷ୍ଟେସନକୁ ଆଣିଛି ଉପକୂଳ ସିକ୍ୟୁରିଟି ଗୃପ । ସେମାନଙ୍କୁ ଆବଶ୍ୟକ ସହୟତା ଯୋଗାଇ ଦେବା ପରେ ପଚରା ଉଚରା ଜାରି ରହିଛି । ଶ୍ରୀଲଙ୍କାରେ ଜାରି ରହିଥିବା ଆର୍ଥିକ ସଙ୍କଟ ଓ ସାମାଜିକ ଅସ୍ଥିରତା ମଧ୍ୟରେ ଏମାନେ ପଳାୟନ କରିଥିବା ମଧ୍ୟ ସନ୍ଦେହ କରାଯାଉଛି ।

କୌଣସି ମାଛଧରା ବୋଟରେ ରାତିରେ ଏମାନେ ଶ୍ରୀଲଙ୍କା ଉପକୂଳରୁ ନିକଟବର୍ତ୍ତୀ ରାମେଶ୍ବରମ ଉପକୂଳକୁ ପଳାଇ ଆସିଛନ୍ତି । କୌଣସି ଡଙ୍ଗା କିମ୍ବା ବୋଟ କୋଷ୍ଟଗାର୍ଡ ନଜରକୁ ଆସିନାହିଁ । ଏମାନଙ୍କୁ ପ୍ରାଥମିକ ଜେରା ପରେ ଅସ୍ଥାୟୀ ଭାବେ ଥଇଥାନ କେନ୍ଦ୍ରକୁ ପଠାଯାଇପାରେ । ପରେ ଆବଶ୍ୟକ ହେଲେ ଏମାନଙ୍କୁ ଶ୍ରୀଲଙ୍କା ଫେରାଇବା ପାଇଁ ମଧ୍ୟ ଦ୍ବିପାକ୍ଷିକ ପଦକ୍ଷେପ ଗ୍ରହଣ କରାଯାଇପାରେ ।

Related Posts