ଚେନ୍ନାଇ(ସତ୍ୟପାଠବ୍ୟୁରୋ): ତାମିଲନାଡୁର ବିଜୟ ସରକାର ୨୦୨୬-୨୭ ବଜେଟ୍‌ରେ ମହିଳାମାନଙ୍କ ପାଇଁ ବଡ଼ ଉପହାର ଘୋଷଣା କରିଛନ୍ତି। ବଜେଟ୍‌ରେ ‘ବ୍ରଦର୍ସ ଗିଫ୍ଟ ସ୍କିମ୍’ ଅଧୀନରେ ମହିଳାମାନଙ୍କୁ ୮ ଗ୍ରାମ ସୁନାର ମୁଦ୍ରା ପ୍ରଦାନ କରିବା ସହ ସିଲ୍କ ଶାଢ଼ୀ ଯୋଜନା ପାଇଁ ୮୧୨ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ବିଧାନସଭା ନିର୍ବାଚନ ଇସ୍ତାହାରରେ ବିବାହ ଅବସରରେ ମହିଳାଙ୍କୁ ଉପହାର ଦେବାର ପ୍ରତିଶ୍ରୁତି ଦେଇଥିଲେ। ବର୍ତ୍ତମାନ ବଜେଟ୍‌ରେ ଏହାକୁ କାର୍ଯ୍ୟକାରୀ କରିବା ନେଇ ଘୋଷଣା କରାଯାଇଛି। ତାମିଲନାଡୁର ଅର୍ଥମନ୍ତ୍ରୀ ଏନ୍. ମେରୀ ୱିଲସନ୍ ବୁଧବାର ବିଧାନସଭାରେ ଟିଭିକେ ସରକାରଙ୍କ ପ୍ରଥମ ବଜେଟ୍ ଉପସ୍ଥାପନ କରିଥିଲେ। ସେ ମୁଖ୍ୟମନ୍ତ୍ରୀ ବିଜୟଙ୍କ ପ୍ରଶଂସା କରି କହିଥିଲେ ଯେ, ଟେଣ୍ଡର ପ୍ରକ୍ରିୟାରେ କିଛି ଦଳ ଓ ବ୍ୟକ୍ତିଙ୍କୁ ମିଳୁଥିବା ‘କଟ୍’ (କମିଶନ୍) ବନ୍ଦ କରାଯାଇଛି।

ଅର୍ଥମନ୍ତ୍ରୀ କହିଛନ୍ତି, ରାଜ୍ୟକୁ ଆର୍ଥିକ ସଙ୍କଟରୁ ବାହାର କରିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି। ପ୍ରଥମ ଥର ହଜ୍ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ସବସିଡି ୨୫ ହଜାର ଟଙ୍କାରୁ ବଢ଼ାଇ ୩୫ ହଜାର ଟଙ୍କା କରାଯିବ। ଏହାଛଡ଼ା, ଖ୍ରୀଷ୍ଟିଆନ୍ ଓ ମୁସଲିମ୍ ମହିଳା କଲ୍ୟାଣ ସଂଘଗୁଡ଼ିକ ପାଇଁ ୧.୦୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ୫ଟି ଖ୍ରୀଷ୍ଟିଆନ୍ ଓ ମୁସଲିମ୍ କବରସ୍ଥାନର ବିକାଶ ପାଇଁ ୩୪ କୋଟି ଟଙ୍କା ଘୋଷଣା କରାଯାଇଛି।

ଅର୍ଥମନ୍ତ୍ରୀ ଜାତୀୟ ଯୋଗ୍ୟତା ସହ ପ୍ରବେଶିକା ପରୀକ୍ଷା “ନିଟ୍’ ବିଲୋପ କରିବାକୁ ଦାବି କରିଛନ୍ତି। ସେ କେନ୍ଦ୍ର ସରକାରଙ୍କୁ ଦ୍ୱାଦଶ ଶ୍ରେଣୀର ମାର୍କ ଆଧାରରେ ଭର୍ତ୍ତି ବ୍ୟବସ୍ଥା ପୁନଃ ଲାଗୁ କରିବାକୁ ଅନୁରୋଧ କରିଛନ୍ତି। ଡ଼. ଏନ୍. ମେରୀ ୱିଲସନ୍ କହିଛନ୍ତି ଯେ, ଅଲିମ୍ପିକ୍‌ରେ ସ୍ୱର୍ଣ୍ଣ ପଦକ ଜିତିବା ଏବଂ ଆନ୍ତର୍ଜାତୀୟ କ୍ରୀଡ଼ାରେ ତାମିଲନାଡୁକୁ ଅଗ୍ରଣୀ କରିବା ଲକ୍ଷ୍ୟରେ ରାଜ୍ୟରେ ୧୦ଟି ‘ଅଲିମ୍ପିକ୍ ସେଣ୍ଟର ଅଫ୍ ଏକ୍ସିଲେନ୍ସ’ ସ୍ଥାପନ ପାଇଁ ୫.୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ସେହିପରି କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ  କ୍ଷେତ୍ରରେ ରାଜ୍ୟକୁ ଆଗକୁ ନେବା ପାଇଁ ୨୦୩୧ ସୁଦ୍ଧା ଇଞ୍ଜିନିୟରିଂ କଲେଜ, ପଲିଟେକ୍ନିକ୍ କଲେଜ ଓ ଆଇଟିଆଇରେ ପଢ଼ୁଥିବା ୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ  ଏଆଇ ସ୍କିଲ୍ସରେ ପ୍ରଶିକ୍ଷଣ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି।