(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଆଫଗାନିସ୍ତାନରେ ତାଲିବାନ ଦଖଲ ପରେ ପରିସ୍ଥିତି ଖୁବ ଖରାପ ହେବାରେ ଲାଗିଛି । ଆମେରିକା ସମେତ ବିଶ୍ୱର ଅନ୍ୟ ଦେଶମାନଙ୍କ ପରି ଭାରତ ମଧ୍ୟ ସେଠାରେ ଫସି ରହିଥିବା ନାଗରିକମାନଙ୍କୁ ଉଦ୍ଧାର କରିବା ଅଭିଯାନକୁ ଜୋରଦାର କରିଛି । ତେବେ ବାୟୁସେନାର ସି-୧୭ ଏୟାରକ୍ରାଫ୍ଟ ମାଧ୍ୟମରେ ୧୨୦ ରୁ ଅଧିକ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ଭାରତକୁ ଅଣାଯାଉଛି । ଏନେଇ କର୍ମଚାରୀମାନଙ୍କୁ ଗତକାଲି ବିଳମ୍ବିତ ରାତିରେ କାବୁଲ ବିମାନବନ୍ଦରର ସୁରକ୍ଷିତ ଅଞ୍ଚଳ ଭିତରକୁ ଅଣାଯାଇଥିଲା। କାହିଁକି ନା ଗତକାଲି କାବୁଲ୍ ଏୟାରପୋର୍ଟରେ ଅସମ୍ଭବ ଭିଡ଼ ଯୋଗୁ ତାହାକୁ ବନ୍ଦ କରି ଦିଆଯାଇଥିଲା । ତେବେ କାବୁଲ ଏୟାରସ୍ପେସ ବନ୍ଦ ହେବା ପରେ ଏବେ କେବଳ ସେନା ବିମାନ ଚଳାଚଳକୁ ଅନୁମତି ଦିଆଯାଇଛି। ଗତକାଲି ଦୁଇଟି ଏୟାରଇଣ୍ଡିଆ ବିମାନ କାବୁଲ ଯିବ ବୋଲି ଯୋଜନା କରାଯାଇଥିବା ବେଳେ କାବୁଲ ଏୟାରସ୍ପେସ ବନ୍ଦ ହେବା ନେଇ ଖବର ମିଳିଥିଲା। ଏହା ପରେ ଏୟାରଇଣ୍ଡିଆ ବିମାନ ଉଡ଼ାଣ ବାତିଲ କରାଯାଇ ବାୟୁସେନା ବିମାନକୁ କାବୁଲ ପଠାଯାଇଥିଲା।
ତାଲିବାନ ଆଫଗାନିସ୍ତାନର ରାଜଧାନୀ ଦଖଲ କରିବା ପରେ ଅନ୍ୟ ଅନେକ ଦେଶ ସେଠାରେ ଥିବା ଦୂତାବାସ ବନ୍ଦ କରି ଦେଇଛନ୍ତି। ସାଉଦି ଆରବ କାବୁଲରେ ଥିବା ଦୂତାବାସରୁ ସମସ୍ତ କୂଟନୀତିଜ୍ଞଙ୍କୁ ସ୍ଥାନାନ୍ତର କରିଛି। ନ୍ୟୁଜିଲ୍ୟାଣ୍ଡ ସରକାର ମଧ୍ୟ ଦେଶରୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ବିମାନ ପଠାଉଛନ୍ତି। ଆଫଗାନିସ୍ତାନରେ ଋଷିଆ ଏବଂ ଚୀନ ସେମାନଙ୍କର ଦୂତାବାସ ବନ୍ଦ କରିନାହାଁନ୍ତି । ଅପରିପକ୍ଷେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚ କହିଛନ୍ତି ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି କାବୁଲରେ ଆମର ରାଷ୍ଟ୍ରଦୂତ ଏବଂ ତାଙ୍କ ଭାରତୀୟ କର୍ମଚାରୀଙ୍କୁ ତୁରନ୍ତ ଭାରତ ଅଣାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହା ସହ ଏଭଳି ସମୟରେ ସେଠାରେ ରହୁଥିବା ନିଜ ନାଗରିକଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ହୋଇପଡିଛି ଭାରତ । ଭାରତ ସରକାରଙ୍କ ଦ୍ୱାରା ସ୍ଥିତି ଉପରେ ତିକ୍ଷଣ ନଜର ରଖାଯାଇଥିବା ବେଳେ ଗତକାଲି ବାୟୁସେନାର ସି-୧୯ ବିମାନରେ ପ୍ରାୟ ୪୬ ଜଣଙ୍କୁ ଦେଶ ଫେରାଇ ଅଣାଯାଇଥିଲା । ଏହା ପରେ କାବୁଲ ଏୟାରପୋର୍ଟ ବନ୍ଦ ହୋଇଯାଇଥିଲା ।
ହେଲେ ଆଜି ସକାଳୁ କାବୁଲ ଏୟାରପୋର୍ଟ ଖୋଲିବା ପରେ ମିଲିଟାରୀ ଫ୍ଲାଇଟରେ ସେଠାରେ ରହୁଥିବା ଭାରତୀୟ ଦୂତାବାସ କର୍ମଚାରୀ ଓ ସାଧାରଣ ନାଗରିକଙ୍କୁ ମିଶାଇ ପ୍ରାୟ ୧୨୦ ଜଣଙ୍କୁ ସୁରକ୍ଷିତ ଭାବରେ ଭାରତ ଅଣାଯାଇଥିଲା । ଅନ୍ୟପଟେ ଏଭଳି ସ୍ଥିତିରେ ଭାରତକୁ ପ୍ରବେଶ ପାଇଁ ଏକ ନୂଆ ପ୍ରକାର ଇଲୋକଟ୍ରୋନିକ ଭିସାର ବ୍ୟବସ୍ଥା ପ୍ରଚଳନ କରାଯାଇଛି ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ମିଳିଥିବା ସୂଚନା ଅନୁସାରେ କାବୁଲରେ ପ୍ରାୟ ୫ଶହରୁ ଊର୍ଦ୍ଧ୍ୱ ଭାରତୀୟ ଫସି ରହିଛନ୍ତି । ଯେଉଁଠି ପ୍ରାୟ ୩୦୦-୪୦୦ ITBP ଯବାନ ରହିଥିବାର ସୂଚନା ମିଳିଛି ।
