ବାଳାଶ୍ରମ ନାଁରେ ଚାଲିଛି ରାକେଟ୍: କଂଗ୍ରେସ

ଉତ୍କଳ ବାଳାଶ୍ରମରୁ 13 ନାବାଳିକା ନିଖୋଜ: କଂଗ୍ରେସ କହିଲା, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବାଳାଶ୍ରମ ନାଁରେ ଚାଲିଛି ରାକେଟ

(ସତ୍ୟପାଠ ବ୍ୟୁରୋ) ଗଞ୍ଜାମ: ବାଳାଶ୍ରମ ନା ନିଖୋଜାଶ୍ରମ । କାହିଁକି ବାରମ୍ବାର ବାଳାଶ୍ରମରୁ ନିଖୋଜ ହେଉଛନ୍ତି ଅନ୍ତେବାସୀ ? ଜଣେ ନୁହେଁ କି ଦୁଇ ଜଣ ନୁହେଁ 13 ଜଣ ଶିଶୁ ନିଖୋଜ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । କିଛି ଦିନ ପୂର୍ବରୁ ବ୍ରହ୍ମପୁର ଉତ୍କଳ ବାଳାଶ୍ରମରୁ 4ଜଣ ଅନ୍ତେବାସୀ ନିଖୋଜ ହୋଇଥିବା ବେଳେ ଗତକାଲି ପୁଣି 13 ଜଣ ନିଖୋଜ ହେବା ସମସ୍ତଙ୍କୁ ଚକିତ କରିଛି । କାଲି ରାତିରୁ ଅନ୍ତେବାସୀ ନିଖୋଜ ଥିବା ନେଇ କର୍ତ୍ତୃପକ୍ଷଙ୍କ ଅଭିଯୋଗର 12 ଘଣ୍ଟା ପରେ ଗୋସାଣୀ ନୂଆଗାଁ ପୋଲିସର ତଦନ୍ତ ଆରମ୍ଭ କରିଛି । ଏହା ସହ ବାଳାଶ୍ରମରେ ପହଞ୍ଚି ଉପଜିଲ୍ଲାପାଳ ବି ପଚରାଉଚରା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବାଳାଶ୍ରମର ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ । ଗତକାଲି ଉତ୍କଳ ବାଳାଶ୍ରମରୁ 13 ନାବାଳିକା  ନିଖୋଜ ଘଟଣା ସୁରକ୍ଷା ବ୍ୟବସ୍ଥା ଉପରେ ଲଗାଇଛି ଶକ୍ତ ଚାପୁଡ଼ା । ପୁର୍ବରୁ ଏହି ଆଶ୍ରମରୁ 4 ଜଣ ନିଖୋଜ ହୋଇଥିଲେ । ଗତ ଦୁଇଦିନ ତଳେ ରାଜ୍ୟ ଶିଶୁ ସୁରକ୍ଷା କମିଶନର ଗଞ୍ଜାମ ଗସ୍ତରେ ଆସି ଉତ୍କଳ ବାଳାଶ୍ରମ ସ୍ଥିତି ଅନୁଧ୍ୟାନ କରିବାର 48 ଘଣ୍ଟା ନ ବିତୁଣୁ ପୁଣି 13 ଜଣ ନାବାଳିକା ନିଖୋଜ ଅଛନ୍ତି ।

ଗୁରୁତ୍ବପୂର୍ଣ୍ଣ କଥା ହେଲା  ବର୍ଷକ ମଧ୍ୟରେ ଜିଲ୍ଲାରେ ଥିବା 7ଟି ବାଳାଶ୍ରମରୁ 29 ଅନ୍ତେବାସୀ ନିଖୋଜ ଅଛନ୍ତି । ସେମାନଙ୍କ ମଧ୍ୟରୁ ମାତ୍ର 4 ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ପୋଲିସ । ଜିଲ୍ଲାରେ ଥିବା ବିଭିନ୍ନ ଆଡପସନ ହୋମରେ 2 ଶିଶୁ ଆତ୍ମହତ୍ୟା କରିଥିବା ବେଳେ ତଦନ୍ତକୁ ଚାପି ଦିଆଯାଇଛି ।

ଏନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବାଳାଶ୍ରମ ନାଁରେ ଶିଶୁ ଚୋରି ରାକେଟ ଚାଲିଥିବା ସିଧା ସିଧା ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ । କେବଳ ବ୍ରହ୍ମପୁରରେ ନୁହେଁ ସାରା ରାଜ୍ୟରେ ଥିବା ବାଳାଶ୍ରମରେ ଏଭଳି ଅବସ୍ଥା ଦେଖିବାକୁ ମିଳୁଛି । ବାରମ୍ବାର ଏଭଳି ଘଟଣା ଘଟୁଥିଲେ ବି ଗୃହ ବିଭାଗର ମୁଖିଆ ଏବଂ ପୋଲିସ କ’ଣ କରୁଛି ପୋଲି ପ୍ରଶ୍ନ କରିଛନ୍ତି ନାୟକ । ଏହା ସହ ସରକାର ବାଳାଶ୍ରମ ନାଁରେ ଶିଶୁଙ୍କୁ ଶେଷଣ କରୁଥିବା ସେ ଅଭିଯୋଗ କରିଛନ୍ତି  । କେଉଁଠି ଅନ୍ତେବାସୀଙ୍କୁ ଡାଲି ନାଁରେ ହଳଦୀ ପାଣି ଦିଆଯାଉଛି ତ ଅନ୍ୟ କେଉଁଠି ଅନ୍ତେବାସୀଙ୍କୁ ପ୍ରାଥମିକ ଚିକିତ୍ସା ସୁବିଧା ମିଳୁନି । ଆଉ ଯଦି କିଏ ଏହା ବିରୋଧରେ ଶ୍ବର ଉଠାଇବାକୁ ଚେଷ୍ଟା କରୁଛନ୍ତି ତାଙ୍କୁ ଦିଆଯାଉଛି ଖୁଲମଖୁଲା ଧମକ । ବାଳାଶ୍ରମ ଦାୟିତ୍ବରେ ଥିବା ଅଧିକାରୀ ଓ କର୍ମଚାରୀମାନେ ସେଠାରେ ନାବାଳିକାଙ୍କ ଉପରେ ଅତ୍ୟାଚାର କରୁଥିବା ନାୟକ ଅଭିଯୋଗ କରିଛନ୍ତି  ।

Related Posts