୧୮ ଲୋକସଭା ଅସନରେ ଜିତିବ ବିଜେଡି

ପୋଲ ଆଇଜ ସର୍ଭେ

ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡି ଓଡ଼ିଶାରେ ଭଲ ପ୍ରଦର୍ଶନ କରିବ । ଏବେ ପୋଲ ଆଇଜ ପକ୍ଷରୁ କରାଯାଇଥିବା ଏକ ପ୍ରାକ ନିର୍ବାଚନୀ ସର୍ଭେ ସୂଚାଉଛି କି ବିଜେଡି ଗତ ଥର ଭଳି ଭଲ ପ୍ରଦର୍ଶନ କରିବ । ବିଜେଡି ୨୧ଟି ଲୋକସଭା ଆସନ ମଧ୍ୟରୁ ୧୮ଟିରେ ଜିତିବ । ବିଜେପି ୨ଟିରେ ଜିତିବାକୁ ଥିବା ବେଳେ କଂଗ୍ରେସ ଗୋଟିଏ ଆସନରେ ଜିତିବ ବୋଲି ଦି କୁଇଣ୍ଟରେ ପ୍ରକାଶ ପାଇଛି ।

ସର୍ଭେରେ କୁହାଯାଇଛି ଯେ ରାଜ୍ୟରେ ମୋଟ ଭୋଟ ମଧ୍ୟରୁ ୫୦ ପ୍ରତିଶତ ବିଜେଡି ଝୁଲାରେ ପଡ଼ିବ । ବିଜେପି ତୁଳନାରେ ବିଜେଡିର ଭୋଟ ୨୫ ପ୍ରତିଶତ ଅଧିକ ରହିବ । କଂଗ୍ରେସ ୧୬ ପ୍ରତିଶତ ଭୋଟ ପାଇବ । ରାଜ୍ୟରେ ଜଗତସିଂହପୁର, ବ୍ରହ୍ମପୁର, କଟକ ଏବଂ କନ୍ଧମାଳ ଆଦି ଆସନରେ ବିଜେଡି ଭଲ ପ୍ରଦର୍ଶନ କରିବ ।

ସର୍ଭେରେ ଯଦିଓ ଓଡ଼ିଶାରେ ବିଜେଡି ଆସନଗୁଡ଼ିକୁ ପୋଛିନେବ ବୋଲି କୁହାଯାଇଛି ତଥାପି ତିନୋଟି କାରଣ ଯୋଗୁ ଏଥିରେ ରୋକ ଲାଗିବା ଆଶଙ୍କା ମଧ୍ୟ ରହିଛି । ସେଗୁଡ଼ିକ ମଧ୍ୟରୁ ପ୍ରଥମଟି ହେଲା ଦଳୀୟ ନେତାଙ୍କ ବିଦ୍ରୋହ ଓ ବିଭାଜନ । ଦ୍ୱିତୀୟଟି ହେଲା ନିର୍ବାଚନ ପାଖେଇ ଆସିଲେ ବିରୋଧୀ ଦଳଗୁଡ଼ିକର ଭୋଟ ଏକତ୍ରିତ ହେବା ଏବଂ ତୃତୀୟଟି ହେଲା ବିଧାନସଭା ଓ ଲୋକସଭା ପାଇଁ ଭୋଟ ବିଭାଜନ । ପୋଲ ଆଇଜ୍ ପକ୍ଷରୁ ଫେବୃଆରୀରେ ଏହି ସର୍ଭେ କରାଯାଇଥିଲା ।

ପୋଲ୍ ଆଇଜର ସର୍ଭେ ଅନୁଯାୟୀ ବିଜେଡି କେବଳ ୩ଟି ଆସନ କେନ୍ଦୁଝର, ସମ୍ବଲପୁର ଏବଂ କୋରାପୁଟରେ ପଛରେ ରହିଛି । କେନ୍ଦୁଝରରେ ବିଜେପି ଖୁବ ଭଲ ପ୍ରଦର୍ଶନ କରିବ । ସେହିଭଳି ସମ୍ବଲପୁରରେ ଅଳ୍ପ ବ୍ୟବଧାନରେ ଆଗରେ ରହିବ । କିନ୍ତୁ କୋରାପୁଟରେ ଆଶ୍ଚର୍ଯ୍ୟଜନକ ଭାବେ ଆଗକୁ ବଢୁଛି ବୋଲି କୁହାଯାଇଛି ।

୭ଟି ଆସନରେ ବିଜେଡି ପାଇଁ ବିଜେପି ଚ୍ୟାଲେଞ୍ଜ ହେବ । ସେହି ଆସନଗୁଡ଼ିକ ହେଲା ବରଗଡ଼, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, କଳାହାଣ୍ଡି, ବଲାଙ୍ଗୀର ଏବଂ କେନ୍ଦ୍ରାପଡ଼ା । ତୃତୀୟ କାରଣଟି ହେଲା ବିଧାନସଭା ଏବଂ ଲୋକସଭା ପାଇଁ ଏକସଙ୍ଗରେ ଓଡ଼ିଶାରେ ନିର୍ବାଚନ ହେଉଥିବାରୁ ଏଠାରେ ଭୋଟ ବିଭାଜନ ହେବା ଆଶଙ୍କା ରହିଛି ।

୨୦୦୪ ମସିହାରେ ଓଡ଼ିଶାରେ ଏକସଙ୍ଗରେ ବିଧାନସଭା ଓ ଲୋକସଭା ନିର୍ବାଚନ ହୋଇ ଆସୁଛି । ୨୦୧୪ରେ ବିଜେପି ବିଧାନସଭା ତୁଳନାରେ ଲୋକସଭା ପାଇଁ ୩.୯ ପ୍ରତିଶତ ଅଧିକ ଭୋଟ ପାଇଥିଲା । ୮ଟି ଲୋକସଭା ଆସନରେ ବିଜେପି ସପକ୍ଷରେ ଅଧିକ ଭୋଟ ରହିଥିଲା । ସେହି ଆସନଗୁଡ଼ିକ ହେଲା ବରଗଡ଼, କେନ୍ଦୁଝର, ସୁନ୍ଦରଗଡ଼, ଯାଜପୁର, ବାଲେଶ୍ୱର, ଭୁବନେଶ୍ୱର, ପୁରୀ ଏବଂ ବଲାଙ୍ଗୀର ।

Related Posts