ପ୍ରାର୍ଥୀପତ୍ର ଦାଖଲ କଲେ ନବୀନ

ଅଧିକ ଆସନରେ ଜିତିବୁ

ବୁଧବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିକା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଦିନ ୧୧: ୧୦ ମିନିଟ୍ ସମୟରେ ଶ୍ରୀ ପଟ୍ଟନାୟକ ଛତ୍ରପୁରସ୍ଥିତ ଅତିରିକ୍ତ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଙ୍ଗ ଅଫିସରଙ୍କ ନିକଟରେ ୪ ସେଟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ରଗୁଡ଼ିକର ପ୍ରସ୍ତାବକ ଅଛନ୍ତି ସୁରେନ୍ଦ୍ର ପ୍ରଧାନ, ଶରତଚନ୍ଦ୍ର ପାତ୍ର, ସାରସ ସ୍ୱାଇଁ ଓ ବୈଜୟନ୍ତୀମାଳା ପଟ୍ଟନାୟକ । ନାମାଙ୍କନପତ୍ର ଦାଖଲ ପରେ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ ଅଧିକ ଆସନରେ ଜିତିବୁ ବୋଲି କହିଥିଲେ । ବିଜେପୁରରେ ଅତିଶୀଘ୍ର ନାମାଙ୍କନପତ୍ର ଦାଖଲ କରିବେ ବୋଲି ମଧ୍ୟ ସେ ସୂଚନା ଦେଇଥିଲେ

ସକାଳ ୯: ୩୦ ମିନିଟରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରସ୍ଥିତ ନବୀନ ନିବାସରୁ ବାହାରି ହେଲିକପ୍ଟର୍ ଯୋଗେ ଆସି ରାୟପୁର ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିଥିଲେ । ସେଠାରୁ ସେ ତାରାତାରିଣୀ ମନ୍ଦିରକୁ ଯାଇ ମାଆଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ତାଙ୍କ ସହ କିଛି ଦଳୀୟ କର୍ମୀ ମଧ୍ୟ ଯାଇଥିଲେ । ଏହାପରେ ହେଲିକାପ୍ଟର ଯୋଗେ ଯାତ୍ରା କରି ଛତ୍ରପୁର ଷ୍ଟାଡିୟମରେ ଓହ୍ଲାଇ ଥିଲେ । ଗଞ୍ଜାମ ଜିଲ୍ଲାର ସମସ୍ତ ଲୋକସଭା ଓ ବିଧାନସଭା ଆସନର ପ୍ରାର୍ଥୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।

ମୁଖ୍ୟମନ୍ତ୍ରୀ ସ୍ଥାନୀୟ ସର୍କିଟ ହାଉସରେ କିଛି ସମୟ ଅବସ୍ଥାନ କରିବା ପରେ ପ୍ରାର୍ଥୀପତ୍ର ଦାଖଲ କରି ପୁଣି ଭୁବନେଶ୍ୱର ଫେରି ଯାଇଥିଲେ । ସୂଚନାଯୋଗ୍ୟ ଗତ ୨୦୦୦ ମସିହାରୁ ନବୀନ ୪ ଥର ହିଞ୍ଜିଳି ଆସନରୁ ଲଢି ବିଜୟୀ ହେବା ସହିତ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ମାତ୍ର ଏଥର ଦୁଇଟି ଆସନରୁ ଲଢୁଛନ୍ତି । ପ୍ରଥମ ଥର ପାଇଁ ହିଞ୍ଜିଳି ସହିତ ବିଜେପୁରରେ ମଧ୍ୟ ଲଢିବେ । ଦ୍ୱିତୀୟ ପର୍ଯ୍ୟାୟରେ ଉଭୟ ହିଞ୍ଜିଳି ଓ ବିଜେପୁର ନିର୍ବାଚନ ମଣ୍ଡଳୀରେ ମତଦାନ ହେବ ।

Related Posts