ଲ୍ୟାପଟପ୍‌ ଗ୍ରହଣ କଲେ ନାହିଁ ୧୮୨ ମେଧାବୀ ଛାତ୍ରଛାତ୍ରୀ : ଏଣିକି ଲ୍ୟାପ୍‌ଟପ୍ ବଦଳରେ ଆକାଉଣ୍ଟକୁ ଯିବ ଟଙ୍କା

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଲାପଟପ ନେଉ ନାହାନ୍ତି ମେଧାବୀ ଛାତ୍ରଛାତ୍ରୀ। ଲ୍ୟାପ୍‌ଟପ୍‌ ଗୁଡ଼ିକୁ ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ କଲା ଉଚ୍ଚଶିକ୍ଷା ବିଭାଗ। ଲାପଟପ ପାଇବା ପାଇଁ ଯୋଗ୍ୟ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ବାରମ୍ବାର ଚିଠି ଲେଖାଯିବା ସହ ସ୍ବତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲେ ମଧ୍ୟ ସେମାନେ ନେବା ପାଇଁ ଆସୁ ନାହାନ୍ତି। ୨୦୧୯-୨୦ ଶିକ୍ଷାବର୍ଷରେ ୧୮୨ ଜଣ ଯୁକ୍ତ ଦୁଇ ମେଧାବୀ ଛାତ୍ରଛାତ୍ରୀ ଲ୍ୟାପ୍‌ଟପ୍‌ ଗ୍ରହଣ କରିନଥିଲେ । ତେଣୁ ବର୍ତ୍ତମାନ ଲ୍ୟାପ୍‌ଟପ୍‌ଗୁଡ଼ିକ ଫେରାଇ ନେବାକୁ ଉଚ୍ଚଶିକ୍ଷା ଉଦ୍ୟମ ଆରମ୍ଭ କରିଛି।

ତେବେ ଏଠାରେ ସୂଚନାଯୋଗ୍ୟ ଯେ, ବିଜୁ ଯୁବ ସଶକ୍ତୀକରଣ ଯୋଜନାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତ ଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ଲ୍ୟାପ୍‌ଟପ୍‌ ବଣ୍ଟନ କରିବା। କିନ୍ତୁ ମେଧାବୀ ଛାତ୍ରଛାତ୍ରୀମାନେ କାହିଁକି ଆଗ୍ରହ ପ୍ରକାଶ କରି ନାହାନ୍ତି ତାହା ହେଉଛି ସବୁଠାରୁ ବଡ ପ୍ରଶ୍ନ ।

ଉଚ୍ଚଶିକ୍ଷା ବିଭାଗର ତଥ୍ୟ ଅନୁଯାୟୀ ୨୦୧୯-୨୦ ଶିକ୍ଷାବର୍ଷରେ ୧୮୨ ଜଣ ମେଧାବୀ ଲ୍ୟାପ୍‌ଟପ୍‌ ଗ୍ରହଣ କରିନାହାନ୍ତି। ତେବେ ରାଜ୍ୟର କେବଳ ୧୩ଟି ଜିଲ୍ଲାରେ ସମସ୍ତ ଲ୍ୟାପ୍‌ଟପ୍‌ ବଣ୍ଟନ ହୋଇଛି। ବଳକା ଲ୍ୟାପ୍‌ଟପ୍‌ ୧୭ଟି ଜିଲ୍ଲାର ନୋଡାଲ ସେଣ୍ଟରରେ ରହିଛି। ଏଥି ମଧ୍ୟରୁ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୩୬ ଜଣ , ବାଲେଶ୍ବରରେ ୩୪, ପୁରୀରେ ୨୭, କେନ୍ଦ୍ରାପଡ଼ାରେ ୨୬, ଯାଜପୁରରେ ୧୧, ମୟୂରଭଞ୍ଜରେ ୧୦, ଭଦ୍ରକରେ ୯, ଅନୁଗୁଳରେ ୭, ଖୋର୍ଧାରେ ୬, ସୁନ୍ଦରଗଡ଼ରେ ୫, ଗଜପତି‌ରେ ୪, ଜଗତସିଂହପୁରରେ ୨ଟି ଲ୍ୟାପ୍‌ଟପ୍‌ ରହିଛି। ଏତଦ୍ ବ୍ୟତୀତ କନ୍ଧମାଳ, କୋରାପୁଟ, ମାଲକାନଗିରି, ନୂଆପଡ଼ା ଓ ସୋନପୁର ଜିଲ୍ଲା ନୋଡାଲ ସେଣ୍ଟରରେ ଗୋଟିଏ ଲେଖାଏଁ ଲ୍ୟାପ୍‌ଟପ୍‌ ରହିଛି।

ମେଧାବୀ ଛାତ୍ରଛାତ୍ରୀମାନେ ନେଇ ନଥିବା ୧୮୨ଟି ଲ୍ୟାପ୍‌ଟପ୍‌ର ଆନୁମାନିକ ମୂଲ୍ୟ ହେଉଛି ୫୪ ଲକ୍ଷ ଟଙ୍କା । ଦୁଇ ବର୍ଷ ହେଲା ପଡ଼ି ରହିଥିବାରୁ କିଛି ଖରାପ ହୋଇଯାଇଥିବା ଅଭିଯୋଗ ଆସିବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଉକ୍ତ ଲ୍ୟାପ୍‌ଟପ୍‌ଗୁଡ଼ିକୁ ଫେରାଇ ଆଣିବାକୁ ନିଷ୍ପତ୍ତି ନିଆଯାଇଛି। ନୋଡାଲ ‌କଲେଜର ଅଧ୍ୟକ୍ଷମାନେ ଏଦିଗରେ ପଦ‌କ୍ଷେପ ନେବା ସହ ଆସନ୍ତା ୩୦ ତାରିଖ ସୁଦ୍ଧା ଲ୍ୟାପ୍‌ଟପ୍‌ଗୁଡ଼ିକର ସ୍ଥାନାନ୍ତରଣ କରିବାକୁ କୁହାଯାଇଛି।

ଉଚ୍ଚଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସ୍ବଚ୍ଛଳ ବର୍ଗର ଛାତ୍ରଛାତ୍ରୀ ମାନେ ଲ୍ୟାପଟପ୍ ନେଇନାହାନ୍ତି। ଏହାଦ୍ବାରା ଅନେକ ଗରିବ ମେଧାବୀ ଛାତ୍ରଛାତ୍ରୀ ରାଜ୍ୟ ସରକାରଙ୍କ ଏଭଳି ଏକ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ମତ ପ୍ରକାଶ ପାଇଛି । ତେଣୁ ପୂର୍ବରୁ ପ୍ରଚଳିତ ନିୟମରେ ପରିବର୍ତ୍ତନ କରାଯାଇ ଚଳିତ ବର୍ଷ ଠାରୁ ଯୁକ୍ତ୨ ପରୀକ୍ଷାରେ ଉତ୍ତୀର୍ଣ୍ଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଲ୍ୟାପଟପ୍ ପରିବର୍ତ୍ତେ ଛାତ୍ରଛାତ୍ରୀଙ୍କୁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର(ଡିବିଟି) ମାଧ୍ୟମରେ ୩୦ ହଜାର ଟଙ୍କା ଲେଖାଏଁ ଦିଆଯିବ।

Related Posts