ସ୍ପେସାଲିଷ୍ଟ୍‌ ଓ ସିନିୟର ରେସିଡେଣ୍ଟ୍‌ ଭାବେ କାର୍ଯ୍ୟରତ ଡାକ୍ତରଙ୍କୁ ସାର୍ଟିଫିକେଟ୍ ପ୍ରଦାନ ପ୍ରସଙ୍ଗ : ପକ୍ଷ ରଖିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ବିଭିନ୍ନ ସରକାରୀ ଡାକ୍ତରଖାନାରେ ସ୍ପେସାଲିଷ୍ଟ୍‌ ଓ ସିନିୟର ରେସିଡେଣ୍ଟ୍‌ ଭାବେ କାର୍ଯ୍ୟ କରୁଥିବା ୧୮ ଜଣ ଡାକ୍ତରଙ୍କ ସାର୍ଟିଫିକେଟ୍ ଫେରସ୍ତ ମାମଲା। ଏହି ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର ଜଷ୍ଟିସ ବି.ଆର. ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଡାକ୍ତର ସୁବ୍ରତ ପ୍ରଧାନ ଓ ଅନ୍ୟ ୧୭ ଜଣ ଡାକ୍ତରଙ୍କ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ମାମଲା ହେଉଛି ଯେ, ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନାରେ ସ୍ପେସାଲିଷ୍ଟ ଓ ସିନିୟର୍‌ ରେସିଡେଣ୍ଟ୍‌ ଭାବେ କାର୍ଯ୍ୟ କରୁଥିବା ଏହି ଡାକ୍ତରମାନଙ୍କୁ ସେମାନଙ୍କ ପିଜି ପାସ୍ ସାର୍ଟିଫିକେଟ ସହିତ ଅନ୍ୟାନ୍ୟ ସାର୍ଟିଫିକେଟ ଫେରାଇବା ପ୍ରସଂଗ ସମ୍ପର୍କିତ। ଆବେଦନକାରୀ ଦର୍ଶାଇଛନ୍ତି ଯେ ଏମଡି/ଏମସ୍/ଡିପ୍ଲୋମା ଓ ଏମଡିଏସ୍ ସ୍ନାତକୋତ୍ତର ପାଠ୍ୟକ୍ରମ (ପିଜି ମେଡିକାଲ କୋର୍ସ)ରେ ନାମଲେଖା ପାଇଁ ୨୦୧୮ରେ ଅନୁଷ୍ଠିତ ହୋଇଥିବା ଜାତୀୟ ଯୋଗ୍ୟତା ତଥା ଏଣ୍ଟ୍ରାନ୍ସ ପରୀକ୍ଷାରେ ଆବେଦନକାରୀ ସଫଳତା ହାସଲ କରିଥିଲେ। ଏହାପରେ ଆବେଦନକାରୀଙ୍କୁ ପିଜି ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ସୁଯୋଗ ମିଳିଥିଲା।

ଆବେଦନକାରୀମାନେ ବିଭିନ୍ନ ବିଭାଗରେ ପିଜି ପାଠ୍ୟକ୍ରମ ଶେଷ କରି ୨୦୨୧‌ ମେ’ରେ ଚୂଡ଼ାନ୍ତ ପରୀକ୍ଷା ଦେଇଥିଲେ। ଗତ ଜୁନ୍‌ ମାସରେ ଏହାର ରେଜଲ୍ଟ ପ୍ରକାଶ ପାଇଥିଲା। ଏହି ପରୀକ୍ଷାରେ ଆବେଦନକାରୀ ଉତ୍ତୀର୍ଣ୍ଣ ହୋଇଥିବା ନେଇ ଘୋଷଣା କରାଯାଇଥିଲେ ମଧ୍ୟ ସେମାନଙ୍କୁ ପ୍ରୋଭିଜିନାଲ୍‌ ପାସ୍ ସାର୍ଟିଫିକେଟ, ମାର୍କସିଟ୍ ଏ ପର୍ଯ୍ୟନ୍ତ ପ୍ରଦାନ କରାଯାଇ ନାହିଁ।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୨୦୧୭, ଫେବ୍ରୁଆରି ୩ରେ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ସ୍ନାତକୋତ୍ତର ଶେଷ କରିଥିବା ପ୍ରତିଟି ଛାତ୍ର ଛାତ୍ରୀ ଦୁଇ ବର୍ଷ ପାଇଁ ରାଜ୍ୟ ସରକାରଙ୍କ ଅଧୀନରେ କାମ କରିବା ଲାଗି ଡାକ୍ତର ବଣ୍ଡ୍ ସ୍ବାକ୍ଷର କରିବେ। ଆବେଦନକାରୀ ସ୍ବାକ୍ଷର କରିଥିବା ଏପରି ବଣ୍ଡ୍ ଅନୁସାରେ ଏବେ ବିଭିନ୍ନ ସରକାରୀ ଡାକ୍ତରଖାନାରେ କାର୍ଯ୍ୟ କରୁଛନ୍ତି। ଆବେଦନକାରୀଙ୍କ ସ୍ନାତକୋତ୍ତର ପାସ୍ ସାର୍ଟିଫିକେଟ ଓ ମାର୍କସିଟ୍, ପାଠ୍ୟକ୍ରମରେ ନାମଲେଖା ବେଳେ ଦାଖଲ କରାଯାଇଥିବା ମାଟ୍ରିକ୍ ଓ ଅନ୍ୟାନ୍ୟ ସାର୍ଟିଫିକେଟ ଫେରାଇବାକୁ ଏସ୍‌ସିବି ଓ ଏମ୍‌କେସିଜି ମେଡିକାଲ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଯୁକ୍ତି ବାଢିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅଭିଜିତ ମିଶ୍ର ମାମଲା ପରିଚାଳନା କରୁଛନ୍ତି।

Related Posts