
ବଲାଙ୍ଗିର: ୩ କନଷ୍ଟେବଲ ନିଲମ୍ବିତ। ଜେଲ୍ ରୁ 2 ଅଭିଯୁକ୍ତ ଫେରାର ହେବା ଘଟଣାରେ ନିଳମ୍ବିତ ହୋଇଛନ୍ତି 3 କନଷ୍ଟେବଲ। ବଲାଙ୍ଗିର ଏସ୍ପି 3 କନଷ୍ଟେବଲଙ୍କ ବିରୋଧରେ ଏଭଳି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି ।
ଡକାୟତି ଅଭିଯୋଗରେ ଗିରଫ ହୋଇଥିଲେ ୨ ଅଭିଯୁକ୍ତ। ସେମାନଙ୍କୁ ଫାଣ୍ଡିରେ ରଖି କରାଯାଉଥିଲା ପଚରାଉଚରା। କିନ୍ତୁ ସେମାନେ ସେଠାରୁ ଫେରାର ହେବାରେ ସଫଳ ହୋଇଗଲେ। ଆଉ ଏହି କଥା ଜଣାପଡ଼ିବା ପରେ ୩ ଜଣ କନଷ୍ଟେବଲଙ୍କୁ ନିଲମ୍ବନ କରିଛନ୍ତି ଏସ୍ପି। ଏହି ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲାରେ।
ନିଲମ୍ବିତ ହୋଇଥିବା ୩ କନଷ୍ଟେବଲ ହେଉଛନ୍ତି- ସତ୍ୟବାନ ରାଉତ, ଅଶ୍ୱିନୀ ସେଠ ଓ ସୁନୀଲ କୁମାର ମିଞ୍ଜ। ସତ୍ୟବାନ ଓ ଅଶ୍ୱିନୀ ସଇଁନ୍ତଳା ଥାନାର ହୋଇଥିବା ବେଳେ ସୁନୀଲ ବଡ଼ମାଳ ଫାଣ୍ଡିରେ କନଷ୍ଟେବଲ ଭାବେ ନିଯୁକ୍ତ ହୋଇଥିଲେ। ଏମାନଙ୍କୁ ନିଲମ୍ବନ କରିବା ସହିତ ବଲାଙ୍ଗିର ଏସ୍ପି ନୀତିନ କୁଶଳକର ଘଟଣାର ତଦନ୍ତ କରିବାକୁ ଅତିରିକ୍ତ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଗତ ୧୮ ତାରିଖରେ ବିନ୍ଧନବାହାଲି ଗାଁରେ ଥିବା ଏକ ମଦଭାଟିରୁ ଡକାୟତି ହୋଇଥିଲା। ଏହି ଘଟଣାରେ ସଇଁନ୍ତଳା ପୁଲିସ୍ ସର୍ଗିପାଲି ଗାଁର ପିଣ୍ଟୁ ଦାସ ଓ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଗାଁର ସନ୍ତୋଷ ବଡ଼ସେଠଙ୍କୁ ଗିରଫ କରିଥିଲା। ସେମାନଙ୍କୁ ବଡ଼ମାଳ ଫାଣ୍ଡିରେ ରଖି ପଚରାଉଚରା କରାଯାଉଥିଲା। ତେବେ ଗତକାଲି ରାତିରେ ସେମାନେ ଫାଣ୍ଡିରୁ ଚମ୍ପଟ ମାରିଥିଲେ। ସେହି ସମୟରେ ଏହି ୩ ଜଣ କନଷ୍ଟେବଲ ଦାୟିତ୍ୱରେ ଥିଲେ। ଦାୟିତ୍ୱରେ ଅବହେଳା ଅଭଯୋଗରେ ସେମାନଙ୍କୁ ସସ୍ପେଣ୍ଡ କରାଯାଇଛି। ଫେରାର ୨ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲସ୍ ପ୍ରୟାସ ଜାରି ରଖିଛି ।