ବିଚ୍‌ ରାସ୍ତାରେ ଫୁଟିଲା ଗୁଳି: ସ୍ତ୍ରୀ ଓ ଝିଅକୁ ଗୁଳି କରିବା ପରେ ନିଜକୁ ଗୁଳି କଲା ସ୍ବାମୀ

ପାଟନା: ବିହାରର ରାଜଧାନୀ ପାଟନାରେ ଘଟିଛି ଏକ ଅଭାବନୀୟ ଘଟଣା । ଦିନ ଦ୍ୱିପହରେ ବିଚ୍‌ ରାସ୍ତାରେ ଫୁଟିଛି ଗୁଳି । ସ୍ତ୍ରୀକୁ ଓ ଝିଅକୁ ଗୁଳି କରି ହତ୍ୟା କରିବା ପରେ ଅଭିଯୁକ୍ତ ସ୍ବାମୀ ନିଜେ ବି ନିଜକୁ କଲା ଗୁଳି କରିଛି । ଏଭଳି ଏକ ଲୋମହର୍ଷଣକାରୀ ଭିଡିଓ ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ଯାହାର ସିସିଟିଭି ଫୁଟେଜ୍‌ ଏବେ ସାମ୍ନାକୁ ଆସିଛି। ରାଜଧାନୀ ପାଟନାର ରାଜୀବ ନାମକ ଜଣେ ବ୍ୟକ୍ତି ବିଚ୍‌ ରାସ୍ତାରେ ନିଜ ପତ୍ନୀ ଓ ଝିଅର ମୁଣ୍ଡକୁ ଗୁଳି କରିଥିଲେ। ଏହାପରେ ସେ ନିଜକୁ ମଧ୍ୟ ଗୁଳି ମାରିଥିଲେ। ଘଟଣାସ୍ଥଳରେ ହିଁ ଟଳିପଡିଥିଲେ ତିନି ଜଣ। ସେହି ସମୟରେ ଜଣେ ମହିଳା ଉପସ୍ଥିତ ରହିଥିଲେ ମଧ୍ୟ ରାଜୀବ ତାଙ୍କର କୌଣସି ପ୍ରକାରର କ୍ଷତି କରିନଥିଲେ। ତେବେ ଆଖି ଆଗରେ ତିନି ଜଣଙ୍କ ମୃତ୍ୟୁକୁ ଦେଖି ମହିଳା ଜଣକ ପୂରା ସ୍ତବ୍ଧ ହୋଇଯାଇଛି। ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁକୁ ନେଇ ଆଖପାଖର ଲୋକେ ମଧ୍ୟ ଚକିତ ହୋଇପଡିଛନ୍ତି। ପାଟନାର ଅନିସାବାଦ ପୁଲିସ କଲୋନୀରେ ଏହି ଘଟଣା ଘଟିଛି।

କୁହାଯାଉଛି ଯେ, ଏହି ପରିବାର ପୂର୍ବତନ ଆଇଜିଙ୍କ ଘରେ ଭଡାରେ ରହୁଥିଲେ। ତେବେ କାହିଁକି ରାଜୀବ ପତ୍ନୀ ଝିଅକୁ ଗୁଳି କରି ନିଜେ ଆତ୍ମହତ୍ୟା କରିଛନ୍ତି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।

ସୂଚନା ମୁତାବକ, ରାଜୀବ କୁମାର ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ ନିଜ ଶାଳି ଶଶି ପ୍ରଭାଙ୍କୁ ବିବାହ କରିଥିଲେ। ଝିଅ ସଂସ୍କୃତି ସହ ରାଜୀବଙ୍କ ସମ୍ପର୍କ ଭଲ ନଥିଲା। ଝିଅ ନିଜ ବାପା ସହ ରହିବାକୁ ଚାହୁଁନଥିଲା। ପାରିବାରିକ କଳହକୁ ନେଇ ରାଜୀବ ଏଭଳି ହତ୍ୟାକାଣ୍ଡ ଘଟାଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି।

ପାଟନା ଏଏସ୍‌ପିଙ୍କ କହିବା ମୁତାବକ, ଗୁରୁବାର ମଧ୍ୟାହ୍ଣରେ ଏହି ଘଟଣା ଘଟିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। କାହିଁକି ରାଜୀବ ଏଭଳି ହତ୍ୟାକାଣ୍ଡ ଘଟାଇଲା ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି ।

Related Posts