ନାବାଳିକାକୁ 2 ଲକ୍ଷ ଟଙ୍କାରେ ହରିୟାଣାରେ ବିକ୍ରି କରିଥିଲେ, ଧରାପଡ଼ିଲେ 2 ଅଭିଯୁକ୍ତ

ନାବାଳିକାକୁ ଉଦ୍ଧାର ପାଇଁ ଗଲେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର 2ଟି ଟିମ୍‌

ଝାରସୁଗୁଡ଼ା ବ୍ରଜରାଜନଗର ଅଞ୍ଚଳର ନାବାଳିକା ହରିୟାଣାରେ ବିକ୍ରି ଘଟଣାରେ ୨ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏମାନେ ହେଲେ ଟଙ୍କଧର ବାଗ ଓ ଅଜୟ ବଞ୍ଜାରି । ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ୨ ଲକ୍ଷ ଟଙ୍କାରେ ହରିୟାଣାରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଥିଲା ।

ନାବାଳିକାର ବଡ଼ ବାପା ହରିୟାଣା ଭିଓ୍ବାନିର ଜଣେ ବ୍ୟକ୍ତିଙ୍କୁ ତାଙ୍କୁ ବିକ୍ରି କରିଦେଇଛନ୍ତି । ନାବାଳିକାକୁ ଦୁଇ ମାସ ଧରି ଘରେ ବନ୍ଦୀ ରଖି ଯୌନ ନିର୍ଯାତନା ଦେଉଥିଲା ଅଭିଯୁକ୍ତ । ଏହି ଖବର ଜଣାପଡ଼ିବା ପରେ ସ୍ଥାନୀୟ ପୋଲିସ ଅଭିଯୁକ୍ତ ସନ୍ଦୀପ ଓ ତାଙ୍କ ମା’ ନାଁରେ ପକସୋ ଆକ୍ଟ ଆଧାରରେ ମାମଲା ରୁଜୁ କରି ଗିରଫ କରିଛି ।

ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଘଟଣାରେ ହସ୍ତକ୍ଷେପ କରିଥିଲେ ରାଜ୍ୟ ସରକାର । ଏବେ ନାବାଳିକାକୁ ଉଦ୍ଧାର କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ନାବାଳିକାକୁ ଉଦ୍ଧାର ପାଇଁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇଟି ଟିମ୍‌ ହରିୟାଣା ଗସ୍ତ କରିଛନ୍ତି ।

Related Posts