କୁନୋ ଜାତୀୟ ଉଦ୍ୟାନରେ ପୁଣି ୨ ଚିତା ଶାବକଙ୍କ ମୃତ୍ୟୁ, ୨ ମାସରେ ଗଲାଣି ୬ ଚିତାଙ୍କ ଜୀବନ

ଭୁବନେଶ୍ୱର,୨୬/୫(ସତ୍ୟପାଠ ବ୍ୟୁରୋ): ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଗୁରୁବାର ଦିନ ପୁଣି ୨ଟି ଚିତା ଶାବକଙ୍କ ମୃତ୍ୟୁ ହୋଇଛି। ଚିତା‌ ଜ୍ବାଲା ଗତ ମାର୍ଚ୍ଚ ୨୪ ତାରିଖରେ ୪ଟି ଶାବକଙ୍କୁ ଜନ୍ମ ‌ଦେଇଥିଲା। କିନ୍ତୁ ଏହି ୪ ଶାବକଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଚତୁର୍ଥ ଶାବକକୁ ଏବେ ନିରୀକ୍ଷଣରେ ରଖାଯାଇଛି। ତା’ର ସ୍ବାସ୍ଥ୍ୟାବସ୍ଥା ମଧ୍ୟ ଠିକ୍‌ ନାହିଁ।ବନ ବିଭାଗ ଅନୁଯାୟୀ ପ୍ରଥମ ଚିତା ଶାବକଟି ଅତ୍ୟନ୍ତ ଦୁର୍ବଳ ହୋଇ ମରିଯାଇଥିଲା। ଅନ୍ୟ ୨ ଜଣ ମଧ୍ୟ ଅସୁସ୍ଥ ହୋ‌ଇ ଆଖି ବୁଜିଛନ୍ତି।

ତେବେ ଗତ ୨ ମାସ ମଧ୍ୟରେ କୁନୋ ଜାତୀୟ ଉଦ୍ୟାନରେ ମୋଟ୍‌ ୬ଟି ଚିତାଙ୍କ ମୃତ୍ୟୁ ସରକାରଙ୍କ ଚିନ୍ତା ବଢ଼ାଇଛି। ମାର୍ଚ୍ଚ ୨୭ ତାରିଖରେ ନାମିବିୟାରୁ ଆସିଥିବା ଚିତା ଶାଶାର କିଡନି ଜନିତ ସମସ୍ୟା ପାଇଁ ମୃତ୍ୟୁ ହୋଇଥିଲା। ସେହିପରି ଏପ୍ରିଲ ୧୩ ତାରିଖରେ ଦକ୍ଷିଣ ଆଫ୍ରିକାରୁ ଆସିଥିବା ଚିତା ଉଦୟର ମୃତ୍ୟୁ ହୋଇଥିଲା। ଦକ୍ଷିଣ ଆଫ୍ରିକାରୁ ଆସିଥିବା ଅନ୍ୟ ଏକ ଚିତା ଦକ୍ଷାର ଗତ ମେ’ ୯ ତାରିଖରେ ମୃତ୍ୟୁ ହୋଇଥିଲା। ଗୁରୁବାର ୨ଟି ଚିତା ଶାବକଙ୍କ ମୃତ୍ୟୁ ହେବା ସହ କୁନୋରେ ଏବେ ମାତ୍ର ଆଉ ଗୋଟିଏ ଶାବକ ରହିଲା।

ସୂଚନାଯୋଗ୍ୟ ଯେ, ପ୍ରାୟ ୭୦ ବର୍ଷ ପୂର୍ବେ ଭାରତରୁ ଚିତା ବଂଶ ଲୁପ୍ତ ହୋଇଯାଇଥିଲା । ତେବେ ଚିତା ପ୍ରୋଜେକ୍ଟ ଅଧୀନରେ ନାମିବ୍ୟାରୁ ପ୍ରଥମ ବ୍ୟାଚରେ ଗତବର୍ଷ ସେପ୍ଟେମ୍ବରରେ ୮ଟି ଚିତା କୁନୋ ଜାତୀୟ ଉଦ୍ୟାନକୁ ଅଣାଯାଇଥିଲା। ସେପ୍ଟେମ୍ବର ୧୭ରେ ତାଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିତା ମାନଙ୍କୁ କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ । ଏହା ପରେ ଫେବୃଆରୀ ୧୮ରେ ଦକ୍ଷିଣ ଆଫ୍ରିକାରୁ ଆଉ ୧୨ଟି ଚିତାବାଘ ଅଣାଯାଇଥିଲା । ଏହାସହିତ ମାଈ ଚିତା ଜ୍ୱାଲାର ଚାରି ଛୁଆ ଜନ୍ମ ପରେ କୁନୋରେ ମୋଟ ଚିତା ସଂଖ୍ୟା ୨୪କୁ ବୃଦ୍ଧି ପାଇଥିଲା । ତେବେ ୨ ମାସ ମଧ୍ୟରେ ମୋଟ ୬ ଚିତାଙ୍କ ମୃତ୍ୟୁ ପରେ ଏବେ କୁନୋରେ ଚିତା ସଂଖ୍ୟା ୧୮କୁ ହ୍ରାସ ପାଇଛି ।

Related Posts