ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟରେ କଲେଜ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ୱାଇଫାଇ ଓ ୧ ଜିବି ଡାଟା: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୫/୫(ସତ୍ୟପାଠ ବ୍ୟୁରୋ): ଆସନ୍ତା ଶିକ୍ଷାବର୍ଷରୁ କଲେଜ ଛାତ୍ରଛାତ୍ରୀମାନଙ୍କୁ ମିଳିବ ମାଗଣା ୱାଇଫାଇ । ବୈଷୟିକ ଶିକ୍ଷାନୁଷ୍ଠାନ, କଲେଜ, ୟୁନିଭର୍ସିଟି ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସରେ ମାଗଣା ୱାଇଫାଇ ସହ ୧ ଜିବି ଡାଟା ମାଗଣା ମିଳିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ସୂଚନା ଦେଇଛନ୍ତି। ଉଚ୍ଚଶିକ୍ଷା ବିଭାଗର ସମୀକ୍ଷା ବୈଠକ ପରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।

ଉଚ୍ଚଶିକ୍ଷା ବିଭାଗର ସମୀକ୍ଷା ବୈଠକ ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ କହିଛନ୍ତି ଛାତ୍ରଛାତ୍ରୀଙ୍କୁ ମାଗଣା ଓ୍ବାନ ଜିବି ଡାଟା ଯୋଗାଇବା ପାଇଁ ଇଲୋକ୍ଟ୍ରୋନିକ୍ସ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ କାର୍ଯ୍ୟ କରିବ। ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଉଚ୍ଚ ଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି। କଲେଜରେ ମାଗଣା ଇଣ୍ଟରନେଟ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଗ୍ରହଣରେ ସହାୟକ ହେବ । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଘୋଷଣା ପରେ ସମସ୍ତେ ସନ୍ତୋଷ ପ୍ରକାଶ କରିଛନ୍ତି । କଲେଜରେ ୱାଇଫାଇ ଲାଗିବା ଦ୍ବାରା ଅଧିକ ଜ୍ଞାନ ଆରୋହଣ କରିହେବ । କେବଳ ସେତିକି ନୁହେଁ, ଡାଉଟ ମଧ୍ୟ କ୍ଲିଅର ହେବ ବୋଲି ଛାତ୍ରଛାତ୍ରୀମାନେ ପ୍ରତିକ୍ରିୟା ଦେଇଛନ୍ତି । ସମସ୍ତେ ଘରେ ୱାଇଫାଇ ଲଗାଇବାରେ ସମର୍ଥ ନୁହଁନ୍ତି । ଏହି ନିଷ୍ପତ୍ତି ଫଳରେ ଏବେ କଲେଜ ଯିବା ସମୟରେ ଛାତ୍ରଛାତ୍ରୀମାନଙ୍କୁ ସୁବିଧା ମିଳିପାରିବ ବୋଲି କହିଛନ୍ତି ଅଭିଭାବକ । ପରୀକ୍ଷା ସମୟରେ ପିଲାମାନେ ଆଉ ଚିନ୍ତା କରିବେନି ବୋଲି ବୁଦ୍ଧିଜୀବୀମାନେ ମତ ରଖିଛନ୍ତି ।

ଅନ୍ୟପଟେ ପଛୁଆ ବ୍ଲକରେ ବିଜ୍ଞାନ ଡିଗ୍ରୀ କଲେଜ ପ୍ରତିଷ୍ଠା ନେଇ ରାଜ୍ୟ ସରକାର ଯୋଜନା କରୁଛନ୍ତି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ କହିଛନ୍ତି। ୨୦୦୦ ମସିହାରେ ରାଜ୍ୟରେ ମାତ୍ର ୫୪୮ ଯୁକ୍ତ ତିନି କଲେଜ ଥିଲା, ଏବେ ଏହା ୧୦୨୪ରେ ପହଞ୍ଚିଛି। ସେହିପରି ବିଶ୍ଵବିଦ୍ୟାଳୟ ୬ରୁ ୨୫ରେ ପହଞ୍ଚିଛି। ୨୦୦୦ ମସିହାରେ ୩.୨ ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ତିନିରେ ନାଁ ଲେଖାଇ ଥିବା ବେଳେ ୨୦୨୩ରେ ଏହା ୬.୫ ଲକ୍ଷ ହୋଇଛି। ଖୁବ ଶୀଘ୍ର ଷ୍ଟୁଡେଣ୍ଟ ସ୍ପୋର୍ଟସ ପଲିସି ଓ ଷ୍ଟୁଡେଣ୍ଟ ଷ୍ଟାର୍ଟ ଅପ ନୀତି ଆରମ୍ଭ ହେବ ।

ଉଚ୍ଚଶିକ୍ଷା ବିଭାଗର ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ ପରେ ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସବୁ କଲେଜରେ ଅନ୍ତର୍ଜାତୀୟ ୟୁଥ ଫେଷ୍ଟିଭାଲ କରାଯିବ। ସେହିପରି ଉତ୍କଳ ବିଶ୍ଵବିଦ୍ୟାଳୟର ନାକ୍ ଗ୍ରେଡ୍ Aପ୍ଲସରୁ Aକୁ ଖସିବା ନେଇ ନାକ୍ ନିକଟରେ ଆପତ୍ତି ଦାଖଲ କରାଯାଇଛି। ସେମାନେ ଏହାକୁ ବିଚାର କରିବେ। କେଉଁ କେଉଁ କ୍ଷେତ୍ରରେ ମାର୍କିଂ କମିଲା, ସେ ଦିଗରେ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆପତ୍ତି ଉଠାଇଥିବା ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ କହିଛନ୍ତି।

Related Posts