କେରଳର ଏର୍ଣ୍ଣାକୁଲମକୁ ଦାଦନ ଖଟିବାକୁ ଯାଇ ୨ ଓଡ଼ିଆ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ

କେରଳ: କେରଳରେ ଆଖି ବୁଜିଲେ ୨ ଓଡ଼ିଆ ଶ୍ରମିକ । ଏର୍ଣ୍ଣାକୁଲମକୁ ଦାଦନ ଖଟିବାକୁ ଯାଇ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ସୋରଡା ଅଞ୍ଚଳର ୨ଜଣ ଦାଦନ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି ।

ମିଳିଥିବା ସୂଚନା ଅନୁଯାୟୀ ସୋରଡା ଅଞ୍ଚଳର ଏକଲପୁର ଗ୍ରାମର ସୁଶାନ୍ତ ନାୟକ ଓ କୁସନଗାଡିଆ ଗ୍ରାମର ଶଙ୍କର ନାୟକ ନାମକ ୨ଜଣ ଶ୍ରମିକ କିଛି ମାସ ତଳେ ଅନ୍ୟ କିଛି ଶ୍ରମିକଙ୍କ ସହାୟତାରେ କାମ ଅନ୍ବେଷଣରେ କେରଳର ଏର୍ଣ୍ଣାକୁଲମ ଜିଲ୍ଲାକୁ ଯାଇଥିଲେ।

ସେଠାରେ ଦିନ ମଜୁରିଆ ଭାବେ ଏମାନେ କାମ କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ ।

ବୁଧବାର ଅନ୍ୟ ଦିନମାନଙ୍କ ପରି ଏ ଦୁହେଁ ଏର୍ଣ୍ଣାକୁଲମ ଗାନ୍ଧୀ ଛକଠାରେ ଏକ ଆପାର୍ଟମେଣ୍ଟ ଉପରେ କାମ କରୁଥିବା ବେଳେ ଅସାବଧାନତା ବଶତଃ ତଳକୁ ଖସି ପଡ଼ିଥିଲେ। ଉଭୟଙ୍କୁ ତୁରନ୍ତ ସେଠାରେ ଉପସ୍ଥିତ ଥିବା ଅନ୍ୟ ସହଯୋଗୀମାନଙ୍କ ସହାୟତାରେ ନିକଟସ୍ଥ ଏକ ଡ଼ାକ୍ତରଖାନାକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ତୁରନ୍ତ ଉଭୟଙ୍କର ଶବ ବ୍ୟବଚ୍ଛେଦ କରି ଉଭୟଙ୍କ ଶବକୁ ଯେପରି ନିଜର ଭିଟାମାଟିରେ ପହଞ୍ଚାଯାଇପାରିବ ସେ ସମ୍ପର୍କରେ ସେଠାକାର ପ୍ରଶାସନ ଉପରେ ଚାପ ପକାଇବାର ଆବଶ୍ୟକତା ରହିଛି । ଏ ଦିଗରେ ଓଡ଼ିଶାର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଉଦ୍ୟମ କରିବାକୁ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଅନୁରୋଧ କରିଛନ୍ତି ।

Related Posts