ପ୍ରକାଶ ପାଇଲା +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ : ବିଜ୍ଞାନରେ ୯୫.୧୫%, ବାଣିଜ୍ୟରେ ୯୪.୯୬ % ପାସହାର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଚଳିତ ବର୍ଷର ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ ପ୍ରକାଶ ପାଇଛି । ବୋର୍ଡ ଅଫିସରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୁକ୍ତ ଦୁଇ ରେଜଲ୍ଟ ଘୋଷଣା କରିଛନ୍ତି । ଏଥର ବିଜ୍ଞାନରେ ୯୫.୧୫ ପ୍ରତିଶତ ପାସହାର ଥିବାବେଳେ ବାଣିଜ୍ୟରେ ପାସହାର ରହିଛି ୯୪.୯୬ ପ୍ରତିଶତ ରହିଛି। ଛାତ୍ର ଛାତ୍ରୀ ମାନେ www.orisssaresults.nic.in ୱେବ୍‌ସାଇଟ୍‌ରେ ପରୀକ୍ଷାଫଳ ଦେଖିପାରିବେ ।

ଚଳିତ ବର୍ଷ ସମୁଦାୟ ୯୪୫୩୨ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ବିଜ୍ଞାନରେ ୮୯ ହଜାର ୯୫୧ ଜଣ ପାସ୍ କରିଥିବା ବେଳେ ୫୫୪୬୮ ଜଣ ପିଲା ପ୍ରଥମ ଶ୍ରେଣୀରେ , ଦ୍ୱିତୀୟ ଶ୍ରେଣୀରେ ୧୬୯୪୩ ଏବଂ ତୃତୀୟ ଶ୍ରେଣୀରେ ୧୪୬୩୧ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଜ୍ଞାନରେ ରେଗୁଲାର ପାସ୍ ହାର ୯୯.୮୮%।

ସେହିପରି ବାଣିଜ୍ୟରେ ଚଳିତ ବର୍ଷ ୯୪.୯୬ ପ୍ରତିଶତ ପରୀକ୍ଷାର୍ଥୀ ପାସ୍ କରିଛନ୍ତି। ବାଣିଜ୍ୟରେ ରେଗୁଲାର ପାସ୍ ହାର ୯୯.୯୫%। ବାଣିଜ୍ୟରେ ୮ ହଜାର ୩୫୫ ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ, ଦ୍ୱିତୀୟ ଶ୍ରେଣୀରେ ପାସ୍ ୫ ହଜାର ୬୯୨ ଏବଂ ତୃତୀୟ ଶ୍ରେଣୀରେ ପାସ୍ ୯୦୬୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ କରୋନା ମହାମାରୀର ଦ୍ୱିତୀୟ ତରଙ୍ଗ ଭୟାବହତାକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ ପରୀକ୍ଷା ବାତିଲ ହୋଇଥିଲା। ତେଣୁ ବିକଳ୍ପ ମୂଲ୍ୟାୟନ ପଦ୍ଧତି ଅବଲମ୍ବନ କରାଯାଇଛି । ପ୍ରକାଶ ଥାଉକି ସୁପ୍ରିମକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ଯେ ଜୁଲାଇ ୩୧ ସୁଦ୍ଧା +୨ ରେଜଲ୍ଟ ପ୍ରକାଶ ପାଇବ ।

କିନ୍ତୁ କଳା ଓ ଧନ୍ଦାମୂଳକ ଫଳାଫଳ ଘୋଷଣାରେ ବିଳମ୍ବ ହୋଇଥିବାରୁ ସୁପ୍ରିମକୋର୍ଟରେ ସ୍ୱତନ୍ତ୍ର ପିଟିସନ ଦାୟର କରାଯାଇଥିବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଅଯାଇଛି ।କରୋନା କାରଣରୁ ରେଜଲ୍ଟ ପ୍ରକାଶ କରିବା ପାଇଁ ଆବଶ୍ୟକ କାଗଜପତ୍ର ଯାଞ୍ଚ କରିବାକୁ ଅଧିକ ସମୟ ଲାଗୁଛି ।

ଉଭୟ କଳା ଓ ଧନ୍ଦାମୂଳକ ଶିକ୍ଷାର ପାଠ୍ୟକ୍ରମର ପରୀକ୍ଷା ଫଳ ଶୀଘ୍ର ପ୍ରକାଶ କରିବାକୁ ପରିଷଦ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରହିଥିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

Related Posts