ମଉଳିଲା ସ୍ୱର୍ଣ୍ଣ ଆଶା, ସେମି ଫାଇନାଲରେ ହାରିଲେ ସିନ୍ଧୁ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଭାରତ ପାଇଁ ମଉଳିଲା ସ୍ୱର୍ଣ୍ଣ  ଆଶା । କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସ ଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଥିବା ଭାରତର ଷ୍ଟାର ଶଟଲର ପିଭି ସିନ୍ଧୁ ସେମି ଫାଇନାଲରେ ପରାଜୟ ବରଣ କରିଛନ୍ତି । ବିଶ୍ୱର ଏକ ନମ୍ବର  ବ୍ୟାଡମିଣ୍ଟନ  ଖେଳାଳି  ଚୀନର  ତାଇ  ଜୁ-ୟିଙ୍ଗଙ୍କ ଠାରୁ  ସିନ୍ଧୁ ପରାସ୍ତ ହୋଇଛନ୍ତି ।  

ପିଭି ସିନ୍ଧୁ ଆକ୍ରମଣାତ୍ମକ ଆରମ୍ଭ କରି କିଛି ସମୟ ପର୍ଯ୍ୟନ୍ତ  ୭-୪ରେ ଅଗ୍ରଣୀ ହାସଲ କରିଥିଲେ। ନେଟ୍ ସଟ୍ ଓ ସ୍ମାଶ୍‌ର ଜବରଦସ୍ତ ବ୍ୟବହାର କରି ସିନ୍ଧୁ ଖେଳରେ ୧୧-୭ରେ ଆଗୁଆ ରହିଥିଲେ। ହେଲେ ତାଇ ଜୋରଦାର ପ୍ରତ୍ୟାବର୍ତ୍ତନ କରି ସ୍କୋରକୁ ୧୩-୧୩ରେ ବରବାର କରିଥିଲେ। ଦୁଇ ଖେଳାଳି ପ୍ରତିଟି ପଏଣ୍ଟ ପାଇଁ କଡା ସଂଘର୍ଷ କରିଥିଲେ। 

୧୬-୧୬, ୧୭-୧୭ ଏବଂ ୧୮-୧୮ ପର୍ଯ୍ୟନ୍ତ  ମୁକାବିଲା ବରାବର ରହିଥିଲା। ହେଲେ ଓ୍ଵିଙ୍ଗ ତାଇ ଲଗାତାର ୩ ପଏଣ୍ଟ ହାସଲ କରି ପ୍ରଥମ ଗେମ୍‌କୁ ୨୧-୧୮ରେ ନିଜ ନାମରେ କରିଥିଲେ। ଗେମର ଆରମ୍ଭରେ କଡା ଟକ୍କର ଦେଖିବାକୁ ମିଳିଥିଲା। ହେଲେ ସିନ୍ଧୁ ନିଜର ଏକାଗ୍ରତା ହରାଇଥିଲେ। ଯାହାର ଫାଇଦା ଉଠାଇଥିଲେ ପ୍ରତିପକ୍ଷ। ଗେମ୍ ୪-୪ରେ ପହଞ୍ଚିବା ପରେ ତାଇ ଗୋଟିଏ ପରେ ଗୋଟିଏ ପଏଣ୍ଟ ନେଇ ସିନ୍ଧୁଙ୍କ ଉପରେ ଚାପ ପକାଇଥିଲେ।

ସିନ୍ଧୁ ଆଉ ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରି ପାରିନଥିଲେ। ତାଙ୍କ ମନୋବଳ ହ୍ରାସ ପାଇଥିବା ସ୍ପଷ୍ଟ ଜଣା ପଡୁଥିଲା। ଶେଷରେ ଦ୍ଵିତୀୟ ଗେମ୍‌କୁ ତାଇ ୨୧-୧୨ରେ ଜିତି ମ୍ୟାଚ୍ ନିଜ ନାଁରେ କରିଥିଲେ। ଏହା ପୂର୍ବରୁ ପିଭି ସିନ୍ଧୁ ଜାପାନର ୟାମାଗୁଚିଙ୍କୁ ୨-୦ରେ ହରାଇ ସେମି ଫାଇନାଲରେ ପ୍ରବେଶ କରିଥିଲେ।

Related Posts