୨ ବର୍ଷ ହେଲା ବିଧାନସଭାରୁ ଛୁଟି ନେଇଥିଲେ, ଏବେ ପଦ୍ମପୁର କେମିତି ଆସିଲେ? ନବୀନ ବାବୁ ଆପଣ ଥକି ଗଲେଣି: ପଦ୍ମପୁରରୁ ଧର୍ମେନ୍ଦ୍ରଙ୍କ କଟାକ୍ଷ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର। ଶେଷ ଦିନ ପ୍ରଚାରରେ କମ୍ପୁଛି ପଦ୍ମପୁରର ଗାଁ ଗଣ୍ଡା। ଆଜି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ନିଜେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରେ ଝାରବନ୍ଧରେ ଜୋରଦାର ପ୍ରଚାର କରିବା ସହିତ ସିଧା ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଶାନା କରି କଡା ଟାର୍ଗେଟ କରିଛନ୍ତି ।

ବିଶାଳ ଜନସଭାକୁ ସମ୍ବୋଧନ କରିବା ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ସିଧା ଟାର୍ଗେଟ କରି କହିଛନ୍ତି ଯେ, ‘ମୁଖ୍ୟମନ୍ତ୍ରୀ ତ ଗତ ୨ ବର୍ଷ ହେବ ବିଧାନସଭାରୁ ଛୁଟିନେଇ ବସିଥିଲେ । ହେଲେ ପଦ୍ମପୁରକୁ ପ୍ରଚାର କରିବାକୁ ଆସିଲେ କେମିତି ? ନବୀନ ବାବୁ ଆପଣ ଥକି ଗଲେଣି ବୋଲି କହି କଟାକ୍ଷ କରିଛନ୍ତି ଧର୍ମେନ୍ଦ୍ର। ଆହୁରି କହିଛନ୍ତି ଯେ, ନବୀନ ବାବୁ ପଦ୍ମପୁର ଆସିଲେ, ପ୍ରକୃତରେ ଏହା ଭାରତୀୟ ଜନତା ପାର୍ଟିର ପଦ୍ମପୁରର ନୈତିକ ବିଜୟ ହେଲା, ଆପଣଙ୍କୁ ପଦ୍ମପୁର ପ୍ରଜାତନ୍ତ୍ର ଦରବାରକୁ ଆସିବାକୁ ପଡିଲା, ନତମସ୍ତକ ହେବାକୁ ପଡିଲା । ଏହା ଭାରତର ଗଣତନ୍ତ୍ରର ବିଜୟ ।

ଧର୍ମେନ୍ଦ୍ର ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ଯେ,’ ଗତକାଲି ମୁଖ୍ୟମନ୍ତ୍ରୀ ଆସି ପଦ୍ମପୁରବାସୀଙ୍କ ଅନେକ ବିକାଶମୂଳକ କାର୍ଯ୍ୟ କରିବାକୁ କହିଦେଇ ଗଲେ । ହେଲେ ୨୨ ବର୍ଷ ଭିତରେ ପଦ୍ମପୁର ବାସୀଙ୍କ ପାଇଁ କରୁଥିଲେ କ’ଣ? ୨୦୧୯ ମସିହାରେ ପ୍ରଦୀପ ପୁରୋହିତ୍ ବିଧାୟକ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଜିଲ୍ଲା ଦାବି ନେଇ ଯାଇଥିଲେ । ସେତେବେଳେ ଏହି ପ୍ରସଙ୍ଗକୁ ଏଡାଇ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହାପୂର୍ବରୁ ୧୯୯୩ ମସିହାରେ ଯେତେବେଳେ ପଦ୍ମପୁରକୁ ଜିଲ୍ଲା ଦାବି ହୋଇଥିଲା ସେତେବେଳେ ମଧ୍ୟ ଏହାକୁ ଯେଉଁମାନେ ବିରୋଧ କରିଥିଲେ ସେମାନେ ଏବେ ମୁଖ୍ୟମନ୍ତ୍ରୀଙ୍କ ଡାହାଣ ବାମ ପଟେ ଛିଡା ହୋଇଛନ୍ତି । ଖାଲି ଏତିକି ନୁହେଁ ଝାରବନ୍ଧରେ ଜଳସେଚନ ପ୍ରକଳ୍ପ କରିବାକୁ ପ୍ରତିଶୃତି ଦେଇଥିଲେ ବି ଏହାକୁ ଭୁଲିଗଲେ । ଏବେ ନିର୍ବାଚନ ଆସିବାରୁ ମୁଖ୍ୟମନ୍ତ୍ରୀଙ୍କର ସବୁକଥା ମନେପଡୁଛି’ ।

ଧର୍ମେନ୍ଦ୍ର ଆହୁରି କହିଛନ୍ତି ଯେ, ଗତ ଡିସେମ୍ବର ୧ ତାରିଖରେ ଶୀତ ଅଧିବେଶନରେ ବିଧାନସଭା ଗୃହରେ ଜିଲ୍ଲା ଗଠନ ପ୍ରସଙ୍ଗ ଉଠିବାରୁ ବିଜେଡି ସରକାରଙ୍କ ମନ୍ତ୍ରୀ କହିଲେ ଯେ, ଏବେ କୌଣସି ଜିଳ୍ଲା ଗଠନ ଯୋଜନା ନାହିଁ । ହେଲେ ଏହାପରେ ମୁଖ୍ୟମନ୍ତ୍ରୀ କିପରି ଏହାକୁ ଜିଲ୍ଲା କରିଦେବାକୁ ପ୍ରତିଶୃତି ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ପଦ୍ମପୁର ବାସିନ୍ଦାଙ୍କୁ ଭାରି ମିଛ କହୁଛନ୍ତି । ବିଜେଡି ସରକାର ଭୋଟ ପାଇବାକୁ ଏତେ ଡହଳବିକଳ ଯେ, ଲୋକଙ୍କୁ ମିଛ କହିବାକୁ ପଛାଉନାହାଁନ୍ତି । ପେପରରେ କ’ଣ ସବୁ ଲେଖାହୋଇଛି ମୁଖ୍ୟମନ୍ତ୍ରୀ କିଛି ବୁଝୁନାହାଁନ୍ତି । ତାଙ୍କ ଅନୁଚରମାନେ ଯାହା ଲେଖିଦେଉଛନ୍ତି ତାକୁ ପଢିଦେଉଛନ୍ତି । ପ୍ରକୃତରେ ମୁଖ୍ୟମନ୍ତ୍ରୀ ଥକିଗଲେଣି’ ।

ଗତକାଲି ମୁଖ୍ୟମନ୍ତ୍ରୀ ପ୍ରଚାରରେ ଆସି ଯାହା ଯାହା କହିଥିଲେ ତା’ର କଡା ଜବାବ ରଖିଛନ୍ତି ଧର୍ମେନ୍ଦ୍ର । ଯେଉଁ ଦଳ ପାଇଁ ଯିଏ ଯେତେ ପ୍ରଚାର କରନ୍ତୁ ପଛେ ହେଲେ ପଦ୍ମପୁର ବାସିନ୍ଦା ଜାଣିଛନ୍ତି ଯେ, ତାଙ୍କ ଯୋଗ୍ୟ ପୁଅ ପ୍ରଦୀପଙ୍କୁ ଜିତାଇବେ ନା ଆଉ କାହାକୁ’ ।

Related Posts