୨୧ ବର୍ଷର ବିଜେଡ଼ି ଶାସନ : ରାଜ୍ୟରେ ନୂଆ ବସଷ୍ଟାଣ୍ଡ ଶୂନ

ପୌର ଓ ପଂଚାୟତ ନିର୍ବାଚନକୁ ଆଖିରେ ରଖି ମିଛର ହୋଲସେଲ ବଜାର ଖୋଲିଛନ୍ତି ନବୀନ : କଂଗ୍ରେସ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆଗକୁ ପଂଚାୟତ ଓ ପୌରପାଳିକା ନିର୍ବାଚନ ଏବଂ ଠିକ୍ ତା ପୂର୍ବରୁ ନବୀନ ବାବୁଙ୍କ ସରକାର ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରକଳ୍ପ ଓ ଯୋଜନା ଘୋଷଣାର ରାଜନୀତି । ବିକାଶର ମରିଚିକା ସୃଷ୍ଟି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଛି ଘୋଷଣାର ପ୍ରସ୍ତୁତିପର୍ବ । ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ବିଭାଗ ଆବାହକ ସତ୍ୟପ୍ରକାଶ ନାୟକ ସରକାରଙ୍କୁ କଟାକ୍ଷ କରି କହିଥିଲେ ଯେ ଆଗାମୀ ପଂଚାୟତ ଓ ପୌରନିର୍ବାଚନକୁ ଆଖିରେ ରଖି ନବୀନ ବାବୁଙ୍କ ସରକାର ମିଛର ହୋଲସେଲ ବଜାର ଖୋଲିବା ଆରମ୍ଭ କରିଛନ୍ତି । 

ଦୀର୍ଘ ୨୧ ବର୍ଷର ଶାସନ ଭିତରେ ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ ବସଷ୍ଟାଣ୍ଡ ହୋଇନପାରିବା, ଓଡ଼ିଶା ବିକାଶର ବାସ୍ତବ ଚିତ୍ର ପ୍ରତିପାଦନ କରୁଛି । ୨୦୦୦ ମସିହାରେ କଂଗ୍ରେସ ସରକାର ଛାଡ଼ିବା ସମୟରେ ରାଜ୍ୟ ସଡ଼କ ପରିବହନ ନିଗମ ଅଧିନରେ ଥିବା ୩୮ଟି ବସଷ୍ଟାଣ୍ଡ ବ୍ୟତିତ ଆଉ ଗୋଟିଏବି ନୂଆବସଷ୍ଟାଣ୍ଡ ନିର୍ମାଣ କରାଯାଇ ପାରିଲାନାହିଁ । ରାଜ୍ୟ ସଡ଼କ ପରିବହନ ନିଗମ ଅଧିନରେ ଥିବା ୩୮ଟି ବସଷ୍ଟାଣ୍ଡ ମଧ୍ୟରୁ ୫ଟି ବସଷ୍ଟାଣ୍ଡରେ ସର୍ବନିମ୍ନ ମୌଳିକ ସୁବିଧା ଯଥା ପିଇବାପାଣି, ଶୌଚାଳୟ, ଯାତ୍ରୀ ବିଶ୍ରାମାଗାର, ଆଲୋକର ବ୍ୟବସ୍ଥା ବର୍ତମାନ ସୁଦ୍ଧା ଯୋଗାଇ ଦିଆଯାଇ ପାରିଲା ନାହିଁ । ରାଜ୍ୟ ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ତରଫରୁ ୧୫ଟି ନୂଆ ବସଷ୍ଟାଣ୍ଡ କରିବାପାଇଁ ନିଷ୍ପତି ନିଆଯାଇଥିଲା । 

କିନ୍ତୁ ବର୍ତମାନ ସୁଦ୍ଧା ମାତ୍ର ୫ଟିର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ନବୀନ ବାବୁ ଗଞ୍ଜାମ ଜିଲ୍ଳାରୁ ବାରମ୍ବାର ନିର୍ବାଚିତ ହୋଇ ଆସିବା ସତ୍ୱେ ଜିଲ୍ଲା ମୁଖ୍ୟାଳୟ ଛତ୍ରପୁର ଠାରେ ଥିବା ବସଷ୍ଟାଣ୍ଡରେ ଯାତ୍ରୀମାନଙ୍କ ପାଇଁ ପିଇବାପାଣି, ଶୌଚାଳୟ, ଯାତ୍ରୀ ବିଶ୍ରାମାଗାର, ଆଲୋକ ଆଦି ସର୍ବନିମ୍ନ ମୌଳିକ ସୁବିଧାର ବ୍ୟବସ୍ଥା ନାହିଁ । ଠିକ୍ ସେହିପରି ବିଜେଡ଼ିର ଟାଣୁଆ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନିଜ ଜିଲ୍ଲା ଯାଜପୁର ବସଷ୍ଟାଣ୍ଡ ଅବା ଅନ୍ୟତମ ଟାଣୁଆ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁଙ୍କ ନିଜ ନିର୍ବାଚନ ମଣ୍ଡଳି ନୟାଗଡ଼ ବସଷ୍ଟାଣ୍ଡରେ ଅଦ୍ୟାବଧି ପିଇବାପାଣି, ଶୌଚାଳୟ, ଯାତ୍ରୀ ବିଶ୍ରାମାଗାର, ଆଲୋକ ଆଦି ସର୍ବନିମ୍ନ ମୌଳିକ ସୁବିଧାର ବ୍ୟବସ୍ଥା କରାଯାଇ ପାରିଲା ନାହିଁ । ରାଜ୍ୟରେ ୩୦ଟି ଜିଲ୍ଲା ମଧ୍ୟରୁ ମାତ୍ର ୨୦ଟି ଜିଲ୍ଲାକୁ ଘରୋଇ ବସ ଚଳାଚଳ କରୁଥିବା ସ୍ଥଳେ ଅନ୍ୟ ୧୦ଟି ଆଦିବାସୀ ବହୁଳ ଜିଲ୍ଲାପାଇଁ ଘରୋଇ ବସ ଚଳାଚଳ କରିପାରୁ ନାହିଁ । ରାଜ୍ୟରେ ଘରୋଇ ବସର ସଂଖ୍ୟା ପାଖାପାଖି ୧୫ ହଜାର ଥିବା ସ୍ଥଳେ ସରକାରୀ ବସର ସଂଖ୍ୟା ମାତ୍ର ୫ଶହ ଭିତରେ ସୀମିତ ରହିଛି । 

ଆଜି ପର୍ଯ୍ୟନ୍ତ ରାଜ୍ୟରେ ଗୋଟିଏ ଆଇଏସବିଟି ବା ଆନ୍ତଃରାଜ୍ୟ ବସ ଟର୍ମିନସ୍ ନିର୍ମାଣ କରାଯାଇପାରିଲା ନାହିଁ । ଓଡ଼ିଶା ଭଳି ରାଜ୍ୟରେ ଯାତ୍ରୀପରିବହନ ବ୍ୟବସ୍ଥାର ଜୀବନରେଖା କୁହାଯାଉଥିବା ବସପରିବହନ ବ୍ୟବସ୍ଥା ପାଇଁ ନିୟୋଜିତ ୧୫ ହଜାର ବସ ପାଇଁ ମାତ୍ର ୩୩ଟି ପୂର୍ଣ୍ଣକ୍ଷମ ବସଷ୍ଟାଣ୍ଡ କାର୍ଯ୍ୟକରୁଛି । ଏପର୍ଯ୍ୟନ୍ତ ୧୧୪ ପୌରାଂଚଳ, ୩୧୪ ବ୍ଲକ ଓ ୫୮ଟି ସବଡିଭିଜନ ପାଇଁ ବସଷ୍ଟାଣ୍ଡର ବ୍ୟବସ୍ଥା ନାହିଁ । ତେଣୁ ପ୍ରଦେଶ କଂଗ୍ରେସ ତରଫରୁ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରି ଶ୍ରୀ ସତ୍ୟପ୍ରକାଶ ନାୟକ କହିଥିଲେ ଯେ ଅତିକମରେ ରାଜ୍ୟର ୧୧୪ ପୌରାଂଚଳ ପାଇଁ ୧୧୪ଟି ନୂଆ ବସଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ଅବିଳମ୍ବେ ଆରମ୍ଭ କରାଯାଉ ଯାହାଫଳରେ ରାଜ୍ୟର ଲକ୍ଷ ଲକ୍ଷ ଯାତ୍ରୀ ଉପକୃତ ହେବେ । 

ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ୮୯ଟି ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ନିଷ୍ପତିକୁ ସ୍ୱାଗତ କରାଯାଉଛି କିନ୍ତୁ ସବୁଷ୍ଟାଡିୟମର ନାମ ବିଜୁବାବୁଙ୍କ ନାମରେ ନାମିତ କରିବା ଏକ ହୀନରାଜନୀତିର ପରିଚୟ ସୃଷ୍ଟି କରୁଛି । ଏହା ନକରି ରାଜ୍ୟର ଅନେକ ପ୍ରଥିତଯଶା ଜନନାୟକ ଓ କିମ୍ବଦନ୍ତି ଖେଳାଳି ମାନଙ୍କ ନାମରେ ଇଣ୍ଡୋର ଷ୍ଟାଡିୟମର ନାମକରଣ କରିବାପାଇଁ ରାଜ୍ୟ କଂଗ୍ରେସ ତରଫରୁ ଶ୍ରୀ ନାୟକ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ମନୋରଞ୍ଜନ ଦାଶ, ପ୍ରଶାନ୍ତ ଶତପଥି, ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତଥିଲେ ।

Related Posts