ଅରିଜିନାଲ ମିଳୁନି, ଡୁପ୍ଲିକେଟ ମିଳିଛି

ସତ୍ୟପାଠ ବ୍ୟୁରୋ : ଅସଲି ଚାବି ମିଳିନି । ସେ ଚାବି କେଉଁଠି , କିଏ ରଖିଛି ତାହା କେହି ଜାଣି ପାରି ନାହାଁନ୍ତି । କେମିତି ହଜିଥିଲା, କିଏ ହଜାଇଲା ବି ଜଣାପଡିଲାନି । କିନ୍ତୁ ରତ୍ନଭଣ୍ଡାର ଚାବି ଖୋଜିବାରେ ଖର୍ଚ୍ଚ ହୋଇଛି ୨୨ଲକ୍ଷ ୨୭ହଜାର ୯୧୮ ଟଙ୍କା । ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ରତ୍ନଭଣ୍ଡାର ଚାବି ହଜିବା ସମ୍ବନ୍ଧରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ସୂଚନା ଦେଇଛନ୍ତି ।

୨୦୧୮ ଏପ୍ରିଲ ୪ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଜଣାପଡିଲା ରତ୍ନଭଣ୍ଡାର ଚାବି ହଜିଛି । ତକ୍ରାଳୀନ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଏହା ଜଣାଇବା ପରେ ସାରା ରାଜ୍ୟରେ ଚାଂଚଲ୍ୟ ଖେଳି ଯାଇଥିଲା । ଅନେକ ଘଂଟା ଚକଟା ହେବା ପରେ ଏହାର ଦୁଇ ମାସ ପରେ ଜିଲ୍ଲା ରେକର୍ଡ ରୁମରୁ ଅବିଶ୍ୱସନୀୟ ଭାବେ ଏକ ଚାବିଗୁନ୍ଥା ମିଳିଥିଲା । ଯେଉଁ ଗୁନ୍ଥାରେ ଥିଲା ରତ୍ନଭଣ୍ଡାରର ଡୁପ୍ଲିକେଟ ଚାବି । ଡୁପ୍ଲିକେଟ ଚାବି ମିଳିବା ପରେ ଏ ପ୍ରସଙ୍ଗ ଉପରୁ ନଜର ହଟି ଯାଇଥିଲା । କିନ୍ତୁ ଅସଲି ଚାବି ମିଳିନଥିବାରୁ ସରକାର ବସାଇଥିଲେ ତଦନ୍ତ କମିଶନ । ପ୍ରଥମେ ୩ ମାସ ପରେ ପୁଣି ୩ ମାସ ପାଇଁ କାର୍ଯ୍ୟକାଳ ବୃଦ୍ଧି ହେଲା କମିଶନଙ୍କର । ତଦନ୍ତ ସାରି ସରକାରଙ୍କୁ ରିପୋର୍ଟ ଦେଇ ସାରିଛନ୍ତି କମିଶନ । ହେଲେ ସରକାର ତର୍ଜମା କରୁଥିବାରୁ ତାହାକୁ ସାର୍ବଜନୀନ କରାଯାଇନି ।

ବଡକଥା ହେଉଛି, କମିଶନ କଣ ରିପୋର୍ଟ ଦେଇଛନ୍ତି ତାହା ତ ଜଣାପଡିନି କିନ୍ତୁ ଏ ଯାଏଁ ଚାବି ଖୋଜିବାରେ ସରକାର ୨୨ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଲେଣି । । ତେବେ ଯଦି ସରକାର ରିପୋର୍ଟ ପାଇଛନ୍ତି ତାହାକୁ ଉପସ୍ଥାପନ କରୁ ନାହାଁନ୍ତି କାହିଁକି ତାହାକୁ ନେଇ ଉଠିଛି ପ୍ରଶ୍ନ । ଆଉ ତା ସହ କଥା ଉଠିଛି ଚାବି ଖୋଜିବାରେ ଏତେ ଟଙ୍କା ଖର୍ଚ୍ଚ ହେବା ଯୁକ୍ତିଯୁକ୍ତ କି ?

Related Posts