ବଢ଼ୁଛି ବେକାରୀ ସମସ୍ୟା : ରାଜ୍ୟରେ୧ଲକ୍ଷ ୩୧ହଜାର ୫୧୮ ସରକାରୀ ପଦବୀ ଖାଲି

ସତ୍ୟପାଠ ବ୍ୟୁରୋ : ରାଜ୍ୟରେ ଦିନକୁ ଦିନ ବଢ଼ୁଛି ବେକାରୀ ସଂଖ୍ୟା । ରାଜ୍ୟରେ ନିଯୁକ୍ତି ମିଳୁନି ବୋଲି ବାହାର ରାଜ୍ୟକୁ ନିଯୁକ୍ତି ଆଶାରେ ଯାଉଛନ୍ତି ଯୁବକଯୁବତୀ । କିନ୍ତୁ ରାଜ୍ୟରେ ଖାଲି ପଡିଥିବା ସରକାରୀ ପଦବୀର ଯେଉଁ ତଥ୍ୟ ସରକାର ଦେଇଛନ୍ତି ତାହା ଅତ୍ୟନ୍ତ ସଂଗୀନ ଓ ଚିନ୍ତାଜନକ । ରାଜ୍ୟରେ ଏବେ ସୁଦ୍ଧା ୧ଲକ୍ଷ ୩୧ହଜାର ୫୧୮ ପଦବୀ ଖାଲି ପଡିଛି । ବିଧାନସଭାରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ରଖିଛନ୍ତି ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ।

ସରକାରଙ୍କ ନିଜ ହିସାବ କହୁଛି, ମାର୍ଚ୍ଚ ୩୧, ୨୦୧୮ ସୁଦ୍ଧା ରାଜ୍ୟରେ ଗ୍ରେଡ ଏରେ ୮୬୨୨, ଗ୍ରେଡ ବିରେ ୨୫୨୩୧, ଗ୍ରେଡ ସିରେ ୬୩୭୩୩, ଗ୍ରେଡ ଡିରେ ୨୨୯୨୬ ଓ ଗ୍ରାଣ୍ଟଇନ୍ ଏଡରେ ୧୧୦୦୬ଟି ପଦବୀ ଫାଙ୍କା ରହିଛି । ସ୍କୁଲ ଓ ଗଣଶିକ୍ଷା ବିଭାଗରେ ସର୍ବାଧିକ ୩୦୨୯୯ଟି ପଦବୀ ଫାଙ୍କା ପଡିଛି । ଅନ୍ୟପଟେ ଖର୍ଚ୍ଚ କାଟ ଦର୍ଶାଇ ୧୯୯୯ରୁ ୨୦୦୮ ମଧ୍ୟରେ ବିଭିନ୍ନ ବିଭାଗରୁ ୪୧,୬୩୫ ପଦବୀ ଉଚ୍ଛେଦ କରାଯାଇଛି ।

ତେବେ ପ୍ରଶ୍ନ ଉଠୁଛି, ଏତେ ସଂଖ୍ୟକ ପଦ ପଦବୀ ଖାଲି ପଡିଥିବା ବେଳେ ସରକାରୀ କାମ ହେଉଛି କେମିତି ? ବାସ୍ତବରେ କିଛି ପ୍ଲେସମେଂଟ ଏଜେନ୍ସିକୁ ଧରି ଠିକା କର୍ମଚାରୀରେ କାମ ଚଳାଉଛନ୍ତି ସରକାର । ଯାହାଦ୍ୱାରା ନିଯୁକ୍ତିରୁ ବଂଚିତ ହେଉଛନ୍ତି ଶିକ୍ଷିତ ବେକାର ଯୁବକଯୁବତୀ । ସ୍ୱଳ୍ପ ଦରମାରେ ଠିକାରେ ନିଯୁକ୍ତି ଦିଆଯାଇ ବାକି ଅର୍ଥରେ କମିଶନୀ କାରବାର ହେଉଛି । ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ବହୁ ଯୋଜନା ଓ ନିଜର ପ୍ରଚାର ପ୍ରସାର ପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର କିନ୍ତୁ ଖାଲି ପଡିଥିବା ପଦବୀ ପୂରଣ କରାଯାଉନି । ରାଜ୍ୟର ଶିକ୍ଷିତ ବେକାର ଯୁବକଯୁବତୀଙ୍କ ପାଇଁ ଏହାଠାରୁ ବଡ ଧୋକା ଆଉ କଣ ହୋଇପାରେ ।

Related Posts