ଭୁବନେଶ୍ୱର,୮/୧(ସତ୍ୟପାଠ ବ୍ୟୁରୋ): ପୁଣି କୋଟିଆରେ ପଶିଲା ଆନ୍ଧ୍ର । ସଶସ୍ତ୍ର ପୁଲିସ ବାହିନୀଙ୍କୁ ସାଙ୍ଗରେ ଧରି କୋଟିଆରେ ପଶି ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି ଆନ୍ଧ୍ରପ୍ରଦେଶର ଡାକ୍ତରୀ ଦଳ । ଓଡିଶା ପୁଲିସ ଦ୍ୱାରା କୋଟିଆ ପଂଚାୟତର ଉପର ସେମ୍ବୀଠାରେ ଶୁକ୍ରବାର ତଡା ଖାଇଥିବା ଆନ୍ଧ୍ର ସ୍ୱାସ୍ଥ୍ୟ ଅଧିକାରୀ ଶନିବାର କୋଟିଆରେ ଲୋକଙ୍କ ଚିକିତ୍ସା କରି ଏହାର ଜବାବ୍ ଦେଇଛନ୍ତି।

ଏହି ଘଟଣା ଉଭୟ ରାଜ୍ୟ ମଧ୍ୟରେ କୋଟିଆକୁ ନେଇ ଦେଖା ଦେଇଥିବା ସୀମା ବିବାଦକୁ ନୂଆ ରୂପ ଦେଇଛି । ତେବେ ଗତ ଶୁକ୍ରବାର ଆନ୍ଧ୍ର ଡାକ୍ତରୀ ଦଳ ଆମ୍ବୁଲାନ୍ସ ଧରି ନାରେଡିବାଲସା ପଟୁ କୋଟିଆକୁ ପ୍ରବେଶ କରୁଥିଲେ । ସେମାନଙ୍କୁ ସେମ୍ବି ନିକଟରେ ବାଡି ଧରି ଅଟକାଇ ଫେରାଇ ଦେଇଥିଲା ଓଡିଶା ପୁଲିସ । କୋଟିଆ ପଞ୍ଚାୟତର ପ୍ରତିଟି ଜାଗା ଓଡିଶାର ଏବଂ ସେଥିରେ ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶ କେବେ ଗ୍ରହଣୀୟ ନୁହେଁ ବୋଲି ରୋକଠୋକ ଶୁଣାଇଦେଇଥିଲେ ପୁଲିସ ଅଧିକାରୀ । ଏହାପରେ ସେ ସ୍ଥାନରୁ ଆନ୍ଧ୍ର ଦଳ ଫେରିଯାଇଥିଲେ ସତ କିନ୍ତୁ ଆନ୍ଧ୍ର ଡାକ୍ତରୀ ଦଳ ୨୪ ଘଣ୍ଟା ନପୁରୁଣୁ ସାଙ୍ଗରେ ସଶସ୍ତ୍ର ଆନ୍ଧ୍ର ପୁଲିସ ବଳକୁ ଆଣି କୋଟିଆରେ ଘରକୁ ଘର ବୁଲି ୭୦ ଜଣଙ୍କୁ ଚିକିତ୍ସା କରିଛନ୍ତି । ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଭ୍ୟାନକୁ ନେଇ ସଶସ୍ତ୍ର ପୁଲିସର ସହାୟାତରେ କୋଟିଆ ଓ ଗଞ୍ଜେଇପଦରରେ ପ୍ରାୟ ୭୦ ଜଣ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣା ଚିକିତ୍ସା କରିଛନ୍ତି ।

ସେପଟେ କୋଟିଆ ନୂଆ ଥାନା ଆଗରେ ଆନ୍ଧ୍ର ପୁଲିସ ଫୋର୍ସ ବସି, ଆନ୍ଧ୍ର ଡାକ୍ତରଙ୍କ ସ୍ୱାସ୍ଥ୍ୟସେବାକୁ ସହାୟତା କରିଥିଲେ । ତେବେ ଓଡ଼ିଶା ପୁଲିସର ଥାନା ଆଗରେ ଆନ୍ଧ୍ର ପୋଲିସ ବସି ସୁରକ୍ଷା ଦେବା ଓ ଡାକ୍ତରୀ ଦଳ ଚିକିତ୍ସା ଯୋଗାଇଦେବା ଘଟଣାକୁ ସହଜରେ ଗ୍ରହଣ କରାଯାଇପାରିନାହିଁ । ତେବେ ଆଗକୁ ଓଡିଶା ଓ ଆନ୍ଧ୍ର ମଧ୍ୟରେ କୋଟିଆ ବିବାଦ କେଉଁ ନୂଆ ରୂପ ନେଉଛି ତାହ ଦେଖିବାକୁ ବାକି ରହିଲା ।